‘ଦ ଭଏସ୍‌ ଅଫ୍‌ ରାଉରକେଲା’ ବ୍ୟୁରୋ ଉଦ୍‌ଘାଟିତ : ବିକଶିତ ରାଉରକେଲା ହେଉଛି ବିକଶିତ ଓଡ଼ିଶାର ଅଂଶ: ତନୟା ପଟ୍ଟନାୟକ

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିକାଶ ହୋଇଛି, କିନ୍ତୁ ଆଶାନୁରୂପ ନୁହେଁ। ଅଧିକ ବିକାଶ ପାଇଁ ମିଳିତ ସ୍ବର ଉଠୁ, ସମ୍ମିଳିତ ପ୍ରୟାସ ହେଉ

1222

Photograph: (kanaknews)

କନକବ୍ୟୁରୋ : ବିକାଶ ଏକ ନିରନ୍ତର ପ୍ରକ୍ରିୟା। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିକାଶ ହୋଇଛି, କିନ୍ତୁ ଆଶାନୁରୂପ ନୁହେଁ। ଅଧିକ ବିକାଶ ପାଇଁ ମିଳିତ ସ୍ବର ଉଠୁ, ସମ୍ମିଳିତ ପ୍ରୟାସ ହେଉ। ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ର ସ୍ବପ୍ନ ପୂରଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ସମତାଳରେ ରାଉରକେଲାର ବିକାଶ ମଧ୍ୟ ଜରୁରି। ସୋମବାର ‘କନକ ନ୍ୟୁଜ୍‌’ର ରାଉରକେଲା ବ୍ୟୁରୋ ଉଦ୍‌ଘାଟନ ଅବସରରେ ଆୟୋଜିତ ‘ଦ ଭଏସ୍‌ ଅଫ୍‌ ରାଉରକେଲା’ କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। 

ଅଧିକ ପଢନ୍ତୁ... ରାଉରକେଲାରେ କନକ ନ୍ୟୁଜର ‘ଦ ଭଏସ୍ ଅଫ୍ ରାଉରକେଲା’

ଉଦ୍‌ଘାଟକ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଲେ, ପଶ୍ଚିମ ଓଡ଼ିଶା ବିଶେଷ କରି ରାଉରକେଲା ତଥା ସୁନ୍ଦରଗଡ଼, ରାଜ୍ୟର ଶିଳ୍ପ, ସାଂସ୍କୃତିକ ଓ ସାମାଜିକ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ‘କନକ ନ୍ୟୁଜ୍‌’ ରାଉରକେଲା ବ୍ୟୁରୋର ସ୍ଥାପନା ଏହି ଅଞ୍ଚଳକୁ ଅଧିକ କେନ୍ଦ୍ରିତ ସମ୍ବାଦ ଯୋଗାଇବା ସହ ଏଠାକାର ଆକାଂକ୍ଷା, ଆବଶ୍ୟକତା ଓ ସଫଳତାକୁ ଉଜାଗର କରିବ। ଗଣମାଧ୍ୟମ ଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ପାରଦର୍ଶିତା ସୃଷ୍ଟି କରିଥାଏ। ସୂଚନାମୂଳକ ଓ ସନ୍ତୁଳିତ ସମ୍ବାଦ ପ୍ରସ୍ତୁତିରେ ‘କନକ ନ୍ୟୁଜ୍‌’ର ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଏଭଳି କନ୍‌କ୍ଲେଭ ଶାସନ, ଶିଳ୍ପ ଓ ନାଗରିକ ସମାଜର ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଆଣି ଅଞ୍ଚଳର ପ୍ରଗତି ଓ ସମ୍ଭାବନା ବିଷୟରେ ଚର୍ଚ୍ଚା କରାଇଥାଏ। ଏହା ଅଞ୍ଚଳର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ଦ ଭଏସ୍‌ ଅଫ୍‌ ରାଉରକେଲା’ ବ୍ୟୁରୋ ଉଦ୍‌ଘାଟିତ

ଅଧ୍ୟକ୍ଷତା ସମ୍ଭାଷଣରେ ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ କହିଲେ, ୧୯୮୪ ମସିହାରେ ସ୍ଥାପନା ହେବା ପରଠାରୁ ଆମେ ଅନେକ ପ୍ରଥମର ଅଧିକାରୀ। ପ୍ରଥମ ଆଞ୍ଚଳିକ ସଂସ୍କରଣ, ରଙ୍ଗିନ ପୃଷ୍ଠା, କ୍ରୀଡ଼ା ପୃଷ୍ଠା, ରେଡିଓ ଷ୍ଟେସନ୍‌ ଆଦି ଅନ୍ୟତମ। ରାଉରକେଲାର ସ୍ୱରକୁ ସମଗ୍ର ଓଡ଼ିଶାରେ ଜଣାଇବାକୁ ‘ଦ ଭଏସ୍ ଅଫ୍ ରାଉରକେଲା’ ବ୍ୟୁରୋ ପ୍ରତିଷ୍ଠା କରାଯାଉଛି। ଆପଣଙ୍କ ଖବରକୁ ପ୍ରାଧାନ୍ୟ ଦେବାକୁ ‘ସମ୍ବାଦ’ର ପୃଷ୍ଠା ବୃଦ୍ଧି କରାଯିବା ସହ ବ୍ୟବସ୍ଥା ଓ ଭିତ୍ତିଭୂମି ବିକଶିତ କରାଯାଇଛି । 

ଆମେ ରାଉରକେଲାର ସ୍ବର ହେବୁ। ବିକଶିତ ରାଉରକେଲା ହେଉଛି ବିକଶିତ ଓଡ଼ିଶାର ଅଂଶ ବୋଲି ସେ କହିଥିଲେ। ସ୍ବାଗତ ଭାଷଣରେ ‘କନକ ନ୍ୟୁଜ୍’ ଓ ‘ସମ୍ୱାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ରାଉରକେଲାର ସ୍ୱରକୁ ଅବଶିଷ୍ଟ ଓଡ଼ିଶାରେ ପହଞ୍ଚାଇବାକୁ ଆମେ ଦାୟିତ୍ବ ନେଇଛୁ। ତେବେ ଏହି ଅଭିଯାନ ଆମ ଇଚ୍ଛାରେ ହେଉନି, ବରଂ ଆପଣଙ୍କ ଦାବିରେ ହେଉଛି। ଏହି ଅଞ୍ଚଳରୁ ରାଜସ୍ବର ସିଂହଭାଗ ଯାଉଛି। ତେବେ ଏ ଅଞ୍ଚଳ ପାଇଛି କେତେ? ରାଜସ୍ବ ଯଦି ଅଧିକ, ତା’ହେଲେ ଏଠାରେ ଅପପୁଷ୍ଟି କାହିଁକି? ଖଣିଖାଦାନରେ ପରିପୂର୍ଣ୍ଣ କୋଇଡ଼ା ଦରିଦ୍ର କାହିଁକି ?   ଏବେ ଏସବୁ ପ୍ରଶ୍ନର ଉତ୍ତର ମାଗିବାର ସମୟ ଆସିଛି। ଆମେ ଆପଣଙ୍କ ସ୍ବର ହୋଇ ଆପଣଙ୍କ ପାଇଁ ଲଢ଼ିବୁ। 

ପରେ ତିନୋଟି ଅଧିବେଶନରେ ଜିଲ୍ଲାର ବିକାଶ, ଶିକ୍ଷା ଓ ବାଣିଜ୍ୟକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ‘ସୁନ୍ଦରଗଡ଼ର ବିକାଶ’କୁ ନେଇ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ବିଜେଡିର ବରିଷ୍ଠ ନେତା ବୀରେନ ସେନାପତି, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳଚନ୍ଦ୍ର ନାୟକ ଓ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ ଯୋଗ ଦେଇଥିଲେ। ଏହି ଅଧିବେଶନକୁ ‘କନକ ନ୍ୟୁଜ୍‌’ ରାଉରକେଲା ବ୍ୟୁରୋ ମୁଖ୍ୟ ଦେବାଶିଷ କବି ପରିଚାଳନା କରିଥିଲେ। ସେହିଭଳି ‘ଶିକ୍ଷା ହବ୍‌ରୁ ଇନୋଭେସନ୍ ହବ୍’ ପ୍ରସଙ୍ଗରେ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ସାଇନ୍‌ସ (ରିମ୍‌ସ)ର ସମ୍ପାଦକ ଆର୍ଯ୍ୟ ପଟ୍ଟନାୟକ ଓ ଐତିହାସିକ ଡ.ପ୍ରଭାତ କୁମାର ମଲ୍ଲିକ ସକ୍ରିୟ ଆଲୋଚନା କରିଥିଲେ ।

ଏହାକୁ ବରିଷ୍ଠ ସାମ୍ବାଦିକ ବିବର୍ତ୍ତନ ପଣ୍ଡା ପରିଚାଳନା କରିଥିଲେ। ‘କନକ ନ୍ୟୁଜ୍’ ଓ ‘ସମ୍ୱାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀଙ୍କ ଦ୍ବାରା ପରିଚାଳିତ ଅନ୍ତିମ ଅଧିବେଶନରେ ‘ସ୍ମାର୍ଟସିଟି ପାଇଁ ସ୍ମାର୍ଟ୍‌ ବଜେଟ୍‌’ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ରାଉରକେଲା ବଣିକ ସଂଘର ପୂର୍ବତନ ସଭାପତି ଶୁଭ ପଟ୍ଟନାୟକ, ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ ଏବଂ ହୋଟେଲ ଓ ରେସ୍ତୋରାଁ ସଂଘର ସଭାପତି ପ୍ରବୀଣ ଗର୍ଗ ନିଜ ନିଜ ମତ ରଖିଥିଲେ । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe