କନକ ବ୍ୟୁରୋ: ବନ୍ଦ ହୋଇପଡ଼ିଛି କୁକୁର ବନ୍ଧ୍ୟାକରଣ ଯୋଜନା । କୁକୁରଙ୍କ ଅସ୍ତ୍ରୋପଚାର ନିମନ୍ତେ ଘର ସହ ଲକ୍ଷାଧିକ ଟଙ୍କାର ସାରଞ୍ଜାମ ରହିଛି । କିନ୍ତୁ କାମରେ ନଲାଗି ଖତ ଖାଉଛି। ଏମିତି ଖବର ଆସିଛି ବ୍ରହ୍ମପୁର ସହରରୁ । 

Advertisment

ଦକ୍ଷିଣ ଓଡ଼ିଶାର ବାଣିଜ୍ୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର । ଏହି ସହରରେ ବୁଲା କୁକୁରଙ୍କ ପ୍ରାର୍ଦୁଭାବ ବଢ଼ିଛି । ରାସ୍ତାରେ ମାଳମାଳ କୁକୁର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି । କୁକୁରଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ସହରବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ପ୍ରଶାସନର ନଜର ନଥିବା ଅଭିଯୋଗ ହୋଇଛି । ୨୦୨୧ରେ ପ୍ରାଣୀ ଚିକିତ୍ସାଳୟ ପରିସରରେ ଆରମ୍ଭ କରାଯାଇଥିଲା କୁକୁର ବନ୍ଧ୍ୟାକରଣ ଯୋଜନା । ପ୍ରଥମ ଦିନରେ ୧୦ ଏବଂ ଦ୍ୱିତୀୟ ଦିନରେ ୫ଟି କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା । ତା'ପରଠୁ ବନ୍ଧ୍ୟାକରଣ ଗୃହରେ ତାଲା ଝୁଲୁଛି । ସେଠାରେ ଥିବା ଲକ୍ଷାଧିକ ଟଙ୍କାର ସାରଞ୍ଜାମ ଅଦରକାରୀ ବସ୍ତୁ ପାଲଟି ଯାଇଛି ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପ୍ରତିଦିନ କୁକୁର କାମୁଡ଼ା ରୋଗୀଙ୍କୁ ଦେଖିବାକୁ ମିଳୁଛି। ପ୍ରାୟ ୧୦୦ ଲୋକ କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ ଆସୁଛନ୍ତି। 

କୁକୁରଙ୍କ ପ୍ରାର୍ଦୁଭାବ ରୋକିବା ପାଇଁ ବିଏମସି ଓ ପ୍ରାଣୀ ଚିକିତ୍ସା ବିଭାଗ ସମନ୍ୱୟରେ ବନ୍ଧ୍ୟାକରଣ ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।