କନକ ବ୍ୟୁରୋ: ବେଆଇନ୍ ବାଣ କାରବାର ରୋକିବା ପାଇଁ ସାରା ରାଜ୍ୟରେ ଚାଲିଛି ‘ଅପରେସନ୍ ଅଗ୍ନି’। ପୁଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଛି ପୁଲିସ । ସେହି କ୍ରମରେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପଦ୍ମନାଭପୁର ଗାଁରେ ପୁଲିସ ଚଢାଉ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ସାଧାରଣ ଲୋକଙ୍କ ଜୀବନକୁ ବାଜିରେ ଲଗାଇ କିପରି ମାଲାମାଲ୍ ହେଉଥିଲା ବାଣ ବ୍ୟବସାୟୀ ।
ଜାତୀୟ ରାଜପଥ କଡ଼ରେ, ଜନବସତି ଭିତରେ ଚାଲିଥିଲା ବେଆଇନ୍ ବାଣ କାରବାର । ମୟୂରଭଂଜ ବୈଶିଙ୍ଗା ଥାନା ପଦ୍ମନାଭପୁର ଗାଁରେ ଏକ ଭଡ଼ା ଘରେ ଗଚ୍ଛିତ ଥିଲା ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ। ଖବର ପାଇ ଅତର୍କିତ ଚଢାଉ କଲେ ବେତନଟୀ ଏସଡିପିଓ ଏବଂ ତାଙ୍କ ଟିମ୍ । ଜବତ ହେଲା ୧୦୭ ବସ୍ତା ବିସ୍ଫୋରକ ସାମଗ୍ରୀ, ୧୨୦ କେଜି ମେଟାଲ୍ ପାଉଡର ଏବଂ ବାରୁଦ। ଇଏ ହେଉଛି ପଦ୍ମନାଭପୁର ଗାଁରେ ଥିବା ସେହି ଭଡ଼ା ଘର, ଯାହାକୁ ବାଣ ବ୍ୟବସାୟୀ ପ୍ରଶାନ୍ତ ସାହୁ ୩ ବର୍ଷ ହେଲା ନେଇ ସେଠାରେ ବାଣ ପ୍ରସ୍ତୁତରେ ଲାଗୁଥିବା ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିଥିଲେ । ଗାଁ ଲୋକଙ୍କ ଅଗୋଚରରେ ଏଠାରେ ରାତି ଅଧରେ ଟ୍ରକରେ ଆସୁଥିଲା ବିସ୍ଫୋରକ ।
ବୁଧବାର ବିଳମ୍ବିତ ରାତିରେ ଚଢାଉ ବେଳେ ଏତେ ପରିମାଣର ବିସ୍ଫୋରକ ଦେଖି ତାଜୁବ ହୋଇଯାଇଥିଲେ ପୁଲିସ ଓ ପ୍ରାଶାସନିକ ଅଧିକାରୀ । କିନ୍ତୁ ଏହାର କାର୍ପଟଦାର ପ୍ରଶାନ୍ତ ସାହୁ ଏବେବି ଫେରାର୍ ଅଛି । ଯଦି ବିସ୍ଫୋରଣ ଘଟି କିଛି ଅଘଟଣ ଘଟିଥାନ୍ତା, ତେବେ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି । ବାଣ ବ୍ୟବସାୟୀ ପ୍ରଶାନ୍ତ ସାହୁ ଏହି ପଦ୍ମନାଭପୁର ଭଡ଼ାଘରୁ, ବୈଶିଙ୍ଗା ଅଞ୍ଚଳରେ ଥିବା ବାଛୁରୀପଡ଼ା ସମେତ ଅନ୍ୟ ୪ଟି ଗାଁର ବହୁ ବାଣ ବ୍ୟବସାୟୀଙ୍କୁ ଯୋଗାଉଥିଲା ବିସ୍ଫୋରକ ସାମଗ୍ରୀ । ତେବେ ପ୍ରଶ୍ନ ଉଠୁଛି, ଏତେ ପରିମାଣରୁ ବିସ୍ଫୋରକ ଆସୁଛି କେଉଁଠୁ ?