Photograph: (KANAKNEWS)
କନକବ୍ୟୁରୋ : ଯାହାକୁ ନେଇ ଜଳୁଥିଲା ଗାଁ , ଚାରିଦିନ ପରେ ମିଳିଲା କଟାମୁଣ୍ତ । ମାଲକାନଗିରି କାଲିମେଳା ଠାରୁ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଛି । ସକାଳେ ସ୍ଥାନୀୟ ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ଉକ୍ତ କଟା ମୁଣ୍ଡଟିକୁ ଦେଖିବାକୁ ପାଇଥିଲେ । ମହିଳାଙ୍କ ନାକ ଓ କାନରେ ଗହଣା ଥିବାର ଦେଖିବାକୁ ମିଳିଛି । ଏବେ ଘଟଣାସ୍ଥଳରେ ଏସଡିପିଓ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ... ହାଡ଼ ଭଙ୍ଗା ଶୀତ ରାତିରେ ଧାନ ଖଳାରେ ଜଗି ବସିଛି ଚାଷୀ
ପ୍ରକାଶ ଥାଉକି ଗତ ୩ ତାରିଖ ଦିନ କୋରକୋଣ୍ଡା ଥାନାରେ ରାଖାଲଗୁଡାର ଲାକେ ପଡିଆମି ନିଖୋଜ ନେଇ ତାଂକ ସଂପର୍କୀୟ କୋରକୋଣ୍ଡା ଥାନାରେ ଏତଲା ଦାୟର କରିଥିଲେ । ତା‘ପର ଦିନ ହିଁ କାଲିମେଳା ବ୍ଲକର ଡୁଡାମେଟଲ ନଦୀ କୂଳରେ ମୁଣ୍ତ ବିହିନ ଦେଖିବା ପରେ ସେହି ଶବ ଲୋକେ ପଡିଆମିଙ୍କର ବୋଲି ପରିବାର ଲୋକେ ଦାବି କରିଥିଲେ । ତେବେ ସେହି ଶବର ମୁଣ୍ଡ ନଥିଲା । କେହି ଦୁର୍ବୃତ୍ତ ମୁଣ୍ଡ କାଟି ଦେଇଥିଲା । ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖାଲଗୁଡା ଗ୍ରାମର ଲାକେ ପଡିଆମିଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା ପରେ ଆଦିବାସୀ ମହାସଂଘ ମେଳି ବାନ୍ଧିଥିଲେ ।
ମହିଳା ନିଖୋଜ ହେବା ପରେ ମୃତଦେହ ମିଳିବା ଓ ମୁଣ୍ଡ ନମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମୁଣ୍ଡ ନମିଳିଲେ ଶବ ବ୍ୟବଛେଦ ନ କରିବା ପାଇଁ ଜିଦ ଧରିବା ସହ ମହିଳାଙ୍କ ମୃତଦେହକୁ ନେବା ପାଇଁ ରୋକଠୋକ ମନା କରିଥିଲେ ଆଦିବାସୀ ମହାସଂଘ । ଅନ୍ୟପଟରେ ଘଟଣାକୁ ତିନି ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରାନପଡିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଣ୍ଡ ନମିଳିବାକୁ ନେଇ ଆଦିବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଏଥିପାଇଁ ଆଦିବାସୀ ମହାସଂଘର ଶତାଧିକ ଆଦିବାସୀ ରାଖାଲଗୁଡାରେ ଏକତ୍ରିତ ହୋଇ ମେଳି କରିଥିଲେ । ଯଦି ଅଭିଯୁକ୍ତକୁ ପୁଲିସ ଖୁବଶୀଘ୍ର ନ ଧରେ ଓ ମୃତ ମହିଳାଙ୍କ ନିଖୋଜ ମୁଣ୍ଡକୁ ଖୋଜି ନ ଦିଏ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟମାନେ । ଅନ୍ୟ ଦିଗରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁରକୁ ନେଇ ତନାଘନା ଚଳାଇଥିବା ବେଳେ କୌଣସି ସୁରାକ ଏପର୍ଯ୍ୟନ୍ତ ପାଇପାରି ନାହିଁ । ଏନେଇ ଆଦିବାସୀ ସଂଘ ଖୋଲା ଚେତାବନୀ ଦେଇଥିବା ବେଳେ ପୁଲିସ ଏନେଇ ମୁହଁ ଖୋଲୁ ନାହିଁ ।
Follow Us