କନକ ବ୍ୟୁରୋ: ପାଦେ ଘୁଞ୍ଚିଲେ ବିପଦ ହିଁ ବିପଦ । ପାଣି ବଢ଼ିଲେ କଥା ସରିଲା । ଗୋଟିଏ ପଟ ଅନ୍ଧାରୀ ନଦୀ ଅନ୍ୟପଟେ ମୁରାନ ନଦୀ । ଗାଁକୁ ଚାରି ଆଡ଼େ ଘେରି ରହିଛି ଦୁଇଟି ନଦୀ । ଆଉ ନଦୀ ଆରପଟେ ଦୈନନ୍ଦିନ କାର୍ଯ୍ୟ । କୁନିକୁନି ପିଲାଙ୍କ ପାଠପଢାରେ ବାଧକ ସାଜୁଛି ଅନ୍ଧାରୀ ନଦୀ । ସ୍କୁଲ ହେଉ କି ମେଡିକାଲ୍ । ଚାଷବାସ ହେଉ ବା ଦୋକାନ ବଜାର । ନଦୀ ପାର ହେଲେ ହିଁ ସବୁ ସୁବିଧା ମିଳିଥାଏ । ଆଗାମୀ ଦିନର ଭବିଷ୍ୟତମାନେ ଅଭିଭାବକଙ୍କ ସାହାଯ୍ୟରେ ନଦୀ ପାର ହେଉଛନ୍ତି । ଏଠି ନଦୀ ବଢ଼ିଲେ ବଢ଼ି ଯାଏ ଲୋକଙ୍କ ସମସ୍ୟା । ନଦୀ ଏପଟ ସେପଟ ନଯାଇ ପାରି ନିଜର ଭାଗ୍ୟକୁ ଆଦରି ରହିଯାଆନ୍ତି । ୨୫ ବର୍ଷର ସ୍ଥିର ସରକାର ଗଲା ଏବେ ନୂଆ ସରକାର ଆସିଲେ । ତଥାପି ବଦଳୁନି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ସିସକୁଡ଼ି, ଶିସ୍କୁଡ଼ୀ ଗାଁର ଏହି ଘଟଣା । ବର୍ଷ ବର୍ଷ ଧରି ସମସ୍ୟାରେ ଉବୁଟୁବୁ ଗ୍ରାମବାସୀ । ପଞ୍ଚାୟତ, ବ୍ଲକ, ଜିଲ୍ଲାକୁ ଗୁହାରି କରିକରି ନୟାନ୍ତ ଲୋକେ । ତଥାପି ହୋଇପାରୁନି ସମସ୍ୟାର ସମାଧାନ । ନେତା ମନ୍ତ୍ରୀଙ୍କ ମାଳ ମାଳ ପ୍ରତିଶ୍ରୁତି ପରେ ଏବେ ଭରସା କେବଳ ବର୍ତ୍ତମାନର ବର୍ଷକର ନୂତନ ସରକାର । ନୂଆ ସରକାର ଆସିବା ପରେ ସମସ୍ୟା ର ସମାଧାନ ହେବା ଆଶା କରିଥିବା ଗ୍ରାମବାସୀ ଙ୍କ ସମସ୍ୟା କେବେ ଦୂର ହେବ ତାକୁ ହିଁ ଅପେକ୍ଷା ।
ଭରା ନଦୀରେ ବାଜିରେ ଲାଗିଛି ଜୀବନ । ଗାଁକୁ ରାସ୍ତାଟିଏ ନଥିବାରୁ ବର୍ଷା ୪ ମାସ ଲୋକମାନେ ଏଭଳି ହଇରାଣ ହେଉଛନ୍ତି । ରାସନ ଚାଉଳ ପାଇଁ ଲୋକଙ୍କୁ ନଦୀ ପାର ହୋଇ ଯିବାକୁ ପଡ଼ୁଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବଡଖମଣ ଗାଁରୁ ଆସିଛି ଏଭଳି ଚିତ୍ର । ବଡଖମଣ ଗାଁକୁ ବାଟ ଓଗାଳିଛି ସମାକୋଇ ନଦୀ। ନଦୀରେ ପୋଲ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି। ଅନ୍ୟ ଦିନରେ ପାଦ ଚଲା ରାସ୍ତାରେ କାମ ଚଳାଇଥାନ୍ତି ଲୋକେ । ହେଲେ ବର୍ଷା ୪ ମାସ ଗାଁ ଚାରିପଟେ ସମାକୋଇ ନଦୀ ଘେରି ରହିଥିବାରୁ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି । ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନା ନେବା କାଠିକର ପାଠ ହେଉଛି। ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରାଇଥାନ୍ତି ଗ୍ରାମବାସୀ। ନଦୀର ଜଳସ୍ତର ବୃଦ୍ଧି ହେଲେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀ ଭଗବାନଙ୍କ ଭରସାରେ ରହିଥାନ୍ତି। ସେହିଭଳି ପଞ୍ଚାୟତରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ନେବାପାଇଁ ମଧ୍ୟ ଲୋକଙ୍କୁ ସମାକୋଇ ନଦୀ ପାର ହେବାକୁ ପଡ଼ିଥାଏ । ଗାଁର ଦୁଇଟି ସାହିରେ ୧୫୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ହେଲେ ରାସ୍ତା ଘାଟର ସୁବିଧା ସେମାନଙ୍କ ନିକଟରେ ଅପହଞ୍ଚ ହୋଇପଡିଛି ।