କନକ ବ୍ୟୁରୋ : ମୟୁରଭଞ୍ଜ ବିଶୋଇ ବ୍ଲକ ବାବୋଜୋଲା ଗାଁ। ଗାଁର ଝିଅ ବୋହୂଙ୍କ ହାତର କମାଲ ଏବେ ଗାଁ ଦାଣ୍ଡରେ ଝଲସୁଛି। କୁହାଯାଏ, ଗାଁ ପରିମଳ ଧୋବା ତୁଠରୁ। ଏ ଗାଁର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଗାଁ ଦାଣ୍ଡ ଓ ଘର କାନ୍ଥରୁ ବାରି ହୋଇପଡୁଛି। ଘର କାନ୍ଥରେ ଅଙ୍କା ହୋଇଛି ସୁନ୍ଦର ଚିତ୍ର ଓ ନିଆରା କଳାକୃତି। କିଏ ଫୁଲ ଅଙ୍କିଛି ତ କିଏ ଗଛଲତାର ଝୋଟି।
ଆଉ ଏ ରଙ୍ଗ ସେମାନେ ନିଜେ ପ୍ରସ୍ତୁତ କରିଥାନ୍ତି। ଝରଣା ଓ ପାହାଡ଼ରୁ ମାଟି ଆଣି ପେଜ ଓ ଅଠା ମିଶାଇ ରଙ୍ଗ ପ୍ରସ୍ତୁତ କରି ତୁଳି ସାହାଯ୍ୟରେ ଆଙ୍କିଛନ୍ତି ଆକର୍ଷଣୀୟ କଳାକୃତି। ମାଟି କାନ୍ଥରେ ଅଙ୍କା ଯାଇଥିବା ଚିତ୍ର ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାର କଥା କହୁଛି। ଆଦିବାସୀ ବହୁଳ ଗାଁରେ ଅଳିଆ ଆବର୍ଜନା ତ ଦୂରର କଥା ଜରି ଖଣ୍ଡିଏ ବି ଦେଖିବାକୁ ପାଇବେନି। ସ୍ୱଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ସମସ୍ତେ ଡଷ୍ଟବିନ ବ୍ୟବହାର କରିଥାନ୍ତି ।
ବାବୋଜୋଲା ଗାଁକୁ ବୁଲି ଆସୁଥିବା ଅତିଥି ସେଲ୍ଫି ଉଠାଇ ମଜା ନିଅନ୍ତି। କେହି କେହି ତ ଗାଁର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରି ରଖନ୍ତି। ମହିଳାମାନେ ଗାଁକୁ ସୁନ୍ଦର ଭାବେ ସଜେଇ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଗାଁର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ଗାଁରେ ପର୍ବବର୍ବାଣୀ ସମୟରେ ଯୁବତୀ ଓ ମହିଳାମାନେ ପାରମ୍ପରିକ ପୋଷାକ ପରିଧାନ କରି ମାଦଳର ତାଳେ ତାଳେ ହାତକୁ ହାତ ଛନ୍ଦି ପାଦକୁ ପାଦ ମିଶାଇ ନୃତ୍ୟ ଗୀତରେ ଝୁମିଥାନ୍ତି ।