କନକ ବ୍ୟୁରୋ: ରାସ୍ତାରେ କାଦୁଅ ପଚପଚ। ପଙ୍କରେ ପାଦ ପଶିଯାଉଛି । ପାଣି ବି ଜମିଛି । ଆଉ ଏହି ରାସ୍ତାରେ ଚାଲିଛି ଯନ୍ତ୍ରଣାପୂର୍ଣ୍ଣ ଜୀବନ। ୪୦ ବର୍ଷରୁ ଅଧିକ ସମୟ ହେଲାଣି ନିମାପଡ଼ା ବ୍ଲକ ନୂଆସନ୍ଥ ଗାଁ ଦଳିତ ସାହିକୁ ରାସ୍ତା ନାହିଁ । ଗାଡ଼ି ତ’ ଦୂରର କଥା ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ୍‌ । ଅନ୍ୟ ସାହିରେ ନିଜ ସାଇକେଲ୍ ବାଇକ ରଖନ୍ତି ଲୋକ । ଅନ୍ୟ କୌଣସି ବିକଳ୍ପ ବି ନାହିଁ । ଉପରୁ ତଳ ସ୍ତ ର ପର୍ଯ୍ୟନ୍ତ ସମସ୍ତ ଅଧକାରୀଙ୍କୁ ଅଭିଯୋଗ ପରେ ବି ପକ୍କା ରାସ୍ତା ଦେଖିପାରିନି ଗାଁ । 

ଗାଁରେ ୩୦୦ରୁ ଅଧିକ ପରିବାର ବସବାସ କରନ୍ତି । ହେଲେ ରାସ୍ତାର ଏପରି ଅବସ୍ଥା ପାଇଁ ଗାଁରେ ଅନେକ ବର୍ଷ ହେଲାଣି କିଛି ପର୍ବପର୍ବାଣୀ ପାଳନ ହୋଇନି । ରୋଗୀଙ୍କୁ ଗାଁ ବାହାରକୁ ଆମ୍ବୁଲାନ୍ସ ଯାଏଁ ବୋହି ଆଣିବାକୁ ପଡ଼ୁଛି। ଅନ୍ୟପଟେ ରାସ୍ତା କାମ ପାଇଁ ପଞ୍ଚାୟତରେ ଟଙ୍କା ଅଛି । ସରକାରୀ ଜାଗା ନଥିବାରୁ ଗାଁକୁ ପକ୍କା ସଂଯୋଗ ହୋଇପାରୁନଥିବା କହିଛନ୍ତି ନୂଆସନ୍ଥ ସରପଞ୍ଚ ।  

Advertisment

ସରପଞ୍ଚଙ୍କ ଏପରି ପ୍ରତିକ୍ରିୟା ଗାଁ ଲୋକଙ୍କ ଚିନ୍ତାକୁ ବଢ଼ାଇଦେଇଛି । ଆଗକୁ ଏହି ଗାଁ ପ୍ରତି ଶୁଭଦୃଷ୍ଟି ପଡ଼ିବ ନା ଆଉ ୪୦ ବର୍ଷ ଏମିତି କଟିଯିବ ତାକୁ ନେଇ ଆଶଙ୍କାରେ ଗ୍ରାମବାସୀ ।