କନକ ବ୍ୟୁରୋ: ସରକାର ବଦଳିଲା ନିୟମ ବି ବଦଳିଗଲା । ଏଣିକି ରାସନ କାର୍ଡ ପାଇବାରୁ ବଞ୍ଚିତ ହେବେ ଗ୍ରାମରକ୍ଷୀ । ମାସକୁ ୧୮ ଶହ ଟଙ୍କା ଭତ୍ତା ପାଉଥିବା ଗ୍ରାମରକ୍ଷୀଙ୍କୁ ସରକାରୀ ଚାକିରି କହି ରାସନ କାର୍ଡ ରଦ୍ଦ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।  ନୂଆ ନିୟମ ଲାଗୁ ହେଲେ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇପାରନ୍ତି ୧୮ ହଜାର ଗ୍ରାମରକ୍ଷୀଙ୍କ ପରିବାର । ଏଭଳି ହେଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଗ୍ରାମରକ୍ଷୀ ସଂଘ । 

Advertisment
  • ନୂଆ ସରକାରଙ୍କ ନୂଆ ନିୟମ
  • ରାସନ କାର୍ଡରୁ ବାଦ୍ ପଡିବେ ଗ୍ରାମରକ୍ଷୀ!

ମାସକୁ ମିଳୁଛି ୧୮ଶହ ଟଙ୍କା ।  ତାହା ପୁଣି ଦରମା ନୁହଁ ଭତ୍ତା । ଆମେ କହୁଛୁ ଗ୍ରାମରକ୍ଷୀଙ୍କ କଥା ।  ଭତ୍ତା ସିନା ମିଳୁଛି କିନ୍ତୁ ସରକାର କହୁଛନ୍ତି ଏମାନେ ସରକାରୀ କର୍ମଚାରୀ । ନିୟମ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ପରିବାରଲୋକ ପାଇପାରିବେ ନାହିଁ ରାସନ କାର୍ଡ । ସେଥିପାଇଁ ଗ୍ରାମରକ୍ଷୀଙ୍କ ରାସନ କାର୍ଡ ରଦ୍ଦ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଆଉ ଏହା ବିରୋଧରେ ଆନ୍ଦୋଳନ ପାଇଁ  ଅଣ୍ଟା ଭିଡିଲାଣି ରାଜ୍ୟ ଗ୍ରାମରକ୍ଷୀ ସଂଘ । 

କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ସ୍ଥାନୀୟ ଅଞ୍ଚଳର ଉର୍ମିଳାଙ୍କୁ ଆସିଛି ଏକ ନୋଟିସ ।  ଉର୍ମିଲା ମଲ୍ଲିକଙ୍କ ସ୍ୱାମୀ ଗ୍ରାମରକ୍ଷୀ ଭାବେ କାମ କରୁଛନ୍ତି । କାହିଁକି ତାଙ୍କ ରାସନ କାର୍ଡ ରଦ୍ଦ କରାଯିବ ନାହଁ ବୋଲି କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି ମଣ୍ଡଳ ଉନ୍ନୟନ ଅଧିକାରୀ । ସରକାରଙ୍କ ଏଭଳି ନୋଟିସ ବିରୋଧରେ ବଢିଲାଣି ସ୍ୱର । ମାତ୍ର ୧୮୦୦ ଟଙ୍କା ଭତ୍ତା ଦେଇ ସରକାରୀ ଚାକିରିଆ କିଭଳି କହୁଛ ବୋଲି ଅନେକ ପ୍ରଶ୍ନ କଲେଣି । 

ରାଜ୍ୟର ୧୮ ହଜାର ୪୧୪ ଜଣ ଗ୍ରାମରକ୍ଷୀ ବିଭିନ୍ନ ଗାଁରେ ନିୟୋଜିତ ଅଛନ୍ତି । ଏହି ପରିବାର ପୂର୍ବ ସରକାର ସମୟରେ ରାସନ ପାଉଥିଲେ । କିନ୍ତୁ ସରକାର ବଦଳିବା ପରେ ବଦଳିବାକୁ ବସିଛି ନିଷ୍ପତ୍ତି ।