2018 u19 WorldCup Photograph: (Kanak News)
କନକ ବ୍ୟୁରୋ: ୨୦୧୮ ମସିହା ଫେବ୍ରୁଆରି ୩ ତାରିଖ । ଏହି ଦିନ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା । ନ୍ୟୁଜିଲାଣ୍ଡ ମାଟିରେ ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ଏବଂ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଅଣ୍ଡର-୧୯ ଦଳ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଟ୍ରଫି ଉଠାଇଥିଲା । ସେହି ବିଜୟୀ ଦଳର ଅନେକ ଖେଳାଳି ଆଜି ବିଶ୍ୱ କ୍ରିକେଟର ସୁପରଷ୍ଟାର ସାଜିଥିବା ବେଳେ, କିଛି ଖେଳାଳି ସମୟର ଚକ୍ରରେ କେଉଁଆଡେ ହଜି ଯାଇଛନ୍ତି ।
୨୦୧୮ ବିଶ୍ୱକପର ସବୁଠାରୁ ବଡ଼ ଉପଲବ୍ଧି ହେଉଛନ୍ତି ଶୁବମନ ଗିଲ୍ । ସେହି ଟୁର୍ଣ୍ଣାମେଣ୍ଟରେ ସେ 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ହୋଇଥିଲେ । ଆଜି ଗିଲ୍ କେବଳ ଭାରତୀୟ ଦଳର ନୁହେଁ, ବରଂ ବିଶ୍ୱ କ୍ରିକେଟର ଜଣେ ଆଗଧାଡ଼ିର ବ୍ୟାଟସମ୍ୟାନ । ତିନୋଟି ଯାକ ଫର୍ମାଟରେ ସେ ନିଜକୁ ପ୍ରମାଣିତ କରିଛନ୍ତି। ସେହିପରି ଅଭିଷେକ ଶର୍ମା ଏବଂ ରିୟାନ ପରାଗ ଆଇପିଏଲ୍ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି । ଦ୍ରୁତ ବୋଲର ଶିବମ ମାଭି ମଧ୍ୟ କିଛି ସମୟ ପାଇଁ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇଥିଲେ ।
କିନ୍ତୁ ସବୁଠାରୁ ଦୁଃଖଦ କାହାଣୀ ହେଉଛି ମଞ୍ଜୋତ କାଲରାଙ୍କର । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ଅପରାଜିତ ଶତକ ମାରି ସେ ରାତାରାତି ହିରୋ ବନିଯାଇଥିଲେ । କିନ୍ତୁ ବିଶ୍ୱକପ୍ ପରେ ତାଙ୍କ ଉପରେ 'ବୟସ ଜାଲିଆତି’ର ଅଭିଯୋଗ ଆସିଲା, ଯାହାଫଳରେ ତାଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଗଲା । ଏହାପରେ ସେ ନିଜର ଫର୍ମ ଏବଂ ଆତ୍ମବିଶ୍ୱାସ ହରାଇ ବସିଲେ । ଆଜି ସେ କ୍ରିକେଟ ଦୁନିଆରୁ ବାଦ୍ ପଡ଼ିଛନ୍ତି ।
ଆହୁରି ପଢ଼ନ୍ତୁ... ଭାରତ ସହ ପଙ୍ଗା ପାକିସ୍ତାନ ପାଇଁ ସାଜିବ କାଳ! ଲାଗିପାରେ କୋଟି କୋଟି ଟଙ୍କାର ଜରିମାନା
ସେହିପରି ଦ୍ରୁତ ବୋଲର କମଲେଶ ନାଗରକୋଟି, ଯିଏ କି ୧୪୫ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ, ତାଙ୍କ କ୍ୟାରିୟରକୁ ଆହତ ସମସ୍ୟା ବରବାଦ କରିଦେଲା । ବାରମ୍ବାର ଆହତ ହେବା କାରଣରୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଲେ ଏବଂ ଏବେ ଦଳକୁ ଫେରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।
ଦଳର ଅଧିନାୟକ ପୃଥ୍ୱୀ ଶ’ଙ୍କ କ୍ୟାରିୟର ଏକ ରୋଲର-କୋଷ୍ଟର ପରି ରହିଛି । ସେ ଟେଷ୍ଟ ଡେବ୍ୟୁରେ ଶତକ ମାରି ନିଜର ଜଲୱା ଦେଖାଇଥିଲେ, କିନ୍ତୁ ଶୃଙ୍ଖଳାହୀନତା, ଫିଟନେସ୍ ସମସ୍ୟା ଏବଂ ଖରାପ ଫର୍ମ ଯୋଗୁଁ ସେ ଏବେ ଜାତୀୟ ଦଳରୁ ବାହାରେ ଅଛନ୍ତି ।
୨୦୧୮ର ସେହି ଦଳ ଆମକୁ ଶିଖାଏ ଯେ, କେବଳ ପ୍ରତିଭା ଯଥେଷ୍ଟ ନୁହେଁ। ସଫଳତା ପାଇଁ ପରିଶ୍ରମ ସହିତ ଭାଗ୍ୟ ଏବଂ ଶୃଙ୍ଖଳା ମଧ୍ୟ ଅତ୍ୟନ୍ତ ଜରୁରୀ । କେହି ଆକାଶର ତାରା ସାଜିଲେ ତ କେହି ଅନ୍ଧାରରେ ହଜିଗଲେ ।
Follow Us