କନକ ବ୍ୟୁରୋ : ମହାରାଷ୍ଟ୍ରର ମାଲେଗାଁଓରେ ୨୦୦୮ ମସିହା ସେପ୍ଟେମ୍ୱର ୨୯ ତାରିଖରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣ ପ୍ରାଣ ହରାଇଥିଲେ ଓ ଶତାଧିକ ଆହତ ହୋଇଥିଲେ । ବିସ୍ଫୋରଣରେ ବ୍ୟବହୃତ ମୋଟର ସାଇକେଲଟି ସାଧ୍ୱୀ ପ୍ରଜ୍ଞାଙ୍କ ନାଁରେ ଥିଲା । ମାମଲାରେ ସାଧ୍ୱୀ ପ୍ରଜ୍ଞା ଓ ତତ୍କାଳୀନ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରଶାନ୍ତ ଶ୍ରୀକାନ୍ତ ପୁରୋହିତଙ୍କ ସମେତ ମୋଟ୍ ୭ଜଣଙ୍କୁ ମହାରାଷ୍ଟ୍ର ଆଣ୍ଟି ଟେରରିଜମ୍ ସ୍କ୍ୱାଡ୍- ଏଟିଏସ୍ ଗିରଫ କରିଥିଲା ।
ମାମଲାଟି ୨୦୧୧ରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ସ୍ୱତନ୍ତ୍ର ଅଦାଲତକୁ ଆସିଥିଲା । ବିସ୍ଫୋରଣର ୧୭ ବର୍ଷ ପରେ ମାମଲାର ରାୟ ଆସିଛି । ସ୍ୱତନ୍ତ୍ର ଅଦାଲତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଯଥେଷ୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି । ଅଦାଲତର ବିଚାରପତି ଏ.କେ ଲାହୋଟି ତାଙ୍କ ରାୟରେ କହିଛନ୍ତି, ଉପଯୁକ୍ତ ପ୍ରମାଣ ମିଳିନାହିଁ ଏବଂ କେବଳ ସନ୍ଦେହ କରି କାହାକୁ ଦୋଷୀ କୁହାଯାଇପାରିବ ନାହିଁ । ମାଲେଗାଁଓ ବିସ୍ଫୋରଣରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପରବାରକୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।