କନକ ବ୍ୟୁରୋ: ସରକାର ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ପ୍ରଚଳନ କରିବାକୁ ଯାଉଥିବା ବେଳେ ଜଣେ ମାତ୍ର ହିନ୍ଦୀ ଶିକ୍ଷକରେ ଚାଲିଛି ହାଇସ୍କୁଲ ପାଠପଢା। ସମସ୍ତ ବିଷୟରେ ଶିକ୍ଷକ ନଥିବା ବେଳେ ହିନ୍ଦୀ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବା ସହ ପାଠ ପଢ଼ାଉଛନ୍ତି । ତେଣୁ ସବୁ ବିଷୟରେ ପାଠପଢ଼ା ହୋଇପାରିନାହିଁ । ଗୋଟିଏ ନୁହେଁ, ଅନେକ ସ୍କୁଲ ଏମିତି ଚାଲିଛି । କେଉଁଠି ଶିକ୍ଷକ ନାହାନ୍ତି ତ ଆଇ କେଉଁଠି ଘର ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଉଜୁଡ଼ା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ।
୧୯୮୨ରେ ସ୍ଥାପନ ହୋଇଥିବା ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି। ଜଣେ ମାତ୍ର ହିନ୍ଦୀ ଶିକ୍ଷକଙ୍କ ଭରଷାରେ ଭବିଷ୍ୟତ ଗଢୁଛନ୍ତି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ପୂର୍ବରୁ ଶହଶହ ଛାତ୍ରଛାତ୍ରୀ ପାଠ ପଢୁଥିଲେ, ଏବେ ଶିକ୍ଷକ ଅଭାବରୁ ପିଲାଙ୍କ ସଂଖ୍ୟା ମଧ୍ୟ ଖୁବ୍ କମିଯାଇଛି । ଚଳିତବର୍ଷ କୌଣସି ବିଷୟରେ ପାଠ୍ୟକ୍ରମ ଶେଷ ନହୋଇଥିବାରୁ ଦଶମ ଶ୍ରେଣୀର ପିଲାମାନେ ପରୀକ୍ଷା ଦେବେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ।
ଏତିକିରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରର ପରିସମାପ୍ତି ଘଟିନି। ଖାଲି ହାଇସ୍କୁଲ ନୁହେଁ, ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମସ୍ୟା ଘେରରେ। ୧୯୧୬ ମସିହାରେ ସ୍ଥାପିତ କଳାପାହାଡ଼ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ l ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଶତାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଶ୍ରେଣୀ ଗୃହର ଅଭାବରୁ ଗୋଟିଏ ଘରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି। ଅନ୍ୟ ଏକ ଘରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ାଉଛନ୍ତି ଶିକ୍ଷକ l ଗୋଟିଏ କୋଠରୀର ଉଭୟ ପଟେ ୨ଟି କଳାପଟାରେ ପାଠପଢା ହେଉଛି l ତେଣୁ ଠିକ ଭାବେ ପଢି ହେଉନଥିବା ନେଇ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।ସରକାରୀ ବିଦ୍ୟାଳୟର ଏହିଭଳି ଅବସ୍ଥା ଯୋଗୁ ଅଭିଭାବକମାନେ ପିଲାମାନଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଏସଂପର୍କରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।