କନକ ବ୍ୟୁରୋ : ପଛୁଆ ରାଜ୍ୟ ଓଡ଼ିଶାରୁ ବିକଶିତ ଓଡ଼ିଶା । ଦୀର୍ଘ ୧୦୦ ବର୍ଷର ଯାତ୍ରା ଭିତରେ ୨୦୩୬ରେ ଓଡ଼ିଶା କେଉଁଠି ଥିବା । ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ୟ, ଅନାଟନ, ଅପପୃଷ୍ଟିର ଅପବାଦର ବୋଝ ମୁଣ୍ଡାଇଥିବା ଓଡ଼ିଶାକୁ ଶିଖରରେ ପହଁଚାଇବା ପାଇଁ ୨୦୩୬ ଭିଜନର ନକ୍ସା ପ୍ରସ୍ତୁତ କରିଛନ୍ତି ଡବଲ ଇଞ୍ଜିନ ସରକାର । ଆଉ ଜନତା ମୈଦାନରେ ମୋଦୀ ଓ ମୋହନ ଆଙ୍କିଛନ୍ତି ବିକାଶର ରଙ୍ଗୀନ କାନଭାସ୍ ।      

Advertisment

୨୦୩୬, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ୧୦୦ ବର୍ଷ । ସ୍ବପ୍ନର ଓଡ଼ିଶାକୁ ଆପଣ କେମିତି ଦେଖିବାକୁ ଚାହାଁନ୍ତି, ଦେଶର ଶ୍ରେଷ୍ଠ ରାଜ୍ୟ ଭିତରେ କେଉଁଠି ଥିବ ଆମ ରାଜ୍ୟର ସ୍ଥିତି । ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଚିତ୍ର କେଉଁ ସ୍ତରରେ ପହଁଚିଥିବ । ଏଭଳି ପୁଳା ପୁଳା ପ୍ରଶ୍ନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ଉଙ୍କି ମାରୁଛି । ୨୦୨୫ରୁ ୨୦୩୬ର ସୁନେଲି ନକ୍ସା ପ୍ରସ୍ତୁତ କରିଛନ୍ତି ଡବଲ୍ ଇଞ୍ଜିନ ସରକାର । ମୋହନ-ମୋଦୀ ଶୁକ୍ରବାର ଜନତା ମୈଦାନରେ ଆୟୋଜିତ ସରକାରଙ୍କର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଆଉ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ବିକଶିତ ଓଡ଼ିଶାର ନକ୍ସା । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ଗମନାଗମନ, ଭିତ୍ତିଭୂମିକୁ ଏଥିରେ ଦିଆଯାଇଛି ବିଶେଷ ଗୁରୁତ୍ବ । 

ଭିଜନ ୨୦୩୬: ସରକାରଙ୍କ ସ୍ବପ୍ନ 

-ଓଡ଼ିଶାର ଉତ୍ପାଦନ ବୃଦ୍ଧି ଲାଗି ସମସ୍ତଙ୍କ ପାଇଁ ଜଳସେଚନ ବ୍ୟବସ୍ଥା
-ସମସ୍ତଙ୍କ ପାଇଁ ବାସଯୋଗ୍ୟ ଘର
-ଆରୋଗ୍ୟ ଓଡ଼ିଶା ମାଧ୍ୟମରେ ସୁଲଭ, ଶସ୍ତା ସ୍ବାସ୍ଥ୍ୟସେବା
-ସବୁଜ ଓଡ଼ିଶା ପାଇଁ ଜଳବାୟୁ ପ୍ରଭାବ, ଜୀବିକା ଓ ବିକାଶ ଲକ୍ଷ୍ୟରେ ଜଙ୍ଗଲ ସୃଷ୍ଟି
-ବିକଶିତ ଓଡ଼ିଶା ପାଇଁ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଗଠନ
-ଓଡ଼ିଆ ଅସ୍ମିତାକୁ ଆଗକୁ ନେବାକୁ ଓଡ଼ିଆ ଶାଶ୍ବତ ଆତ୍ମାର ସମ୍ମାନ
-୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତିର ଆକାର ୫୦ହଜାର କୋଟି ଡଲାର  
-୨୦୪୭ ୧.୫ ଲକ୍ଷ କୋଟିରେ ଅର୍ଥନୀତିକୁ ପହଞ୍ଚାଇବାକୁ ଲକ୍ଷ୍ୟ

ସେହିପରି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ବଡ଼ ପ୍ରାଥମିକତା ଦେଇଛନ୍ତି ଡବଲ୍ ଇଞ୍ଜିନ ସରକାର । ଫୋକସରେ ଶିକ୍ଷା ଓ ନିଯୁକ୍ତି 

-୨୦୪୭ ସୁଦ୍ଧା ୬୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ଚାକିରି
-୨୦୩୬ ସୁଦ୍ଧା ଓଡ଼ିଶାର ୨ଟି ବିଶ୍ବବିଦ୍ୟାଳୟକୁ ବିଶ୍ବର ଶ୍ରେଷ୍ଠ ତାଲିକାରେ ସ୍ଥାନ ଦେବା
-ସମସ୍ତ ୩୧୪ ବ୍ଲକରେ ଆଇଟିଆଇ ପ୍ରତିଷ୍ଠା
-୨୦୪୭ ସୁଦ୍ଧା ଅତିକମରେ ବାର୍ଷିକ ୧ ଲକ୍ଷ ଯୁବକ ଯୁବତୀଙ୍କୁ ବିଦେଶରେ ନିଯୁକ୍ତି
-୨୦୩୬ ସୁଦ୍ଧା ବାର୍ଷିକ ୨୫ ହଜାର ନିଯୁକ୍ତି  

୨୦୩୬ ସୁଦ୍ଧା ଉଡ଼ାନ୍ ଯୋଜନାରେ ଓଡ଼ିଶାରେ ୫ଟି ନୂଆ ବିମାନ ବନ୍ଦର ପ୍ରତିଷ୍ଠା ସହ ରାଜ୍ୟରେ ପରିବହନ ଭିତ୍ତିଭୂମିରେ ବିକାଶ ପାଇଁ ଅନେକ ଯୋଜନା ଆଣିବେ ମୋହନ ମାଝୀ ସରକାର ।