ଦେଶରେ ଟଙ୍କା ନେଣଦେଣର ପ୍ରକ୍ରିୟା ସେତେବେଳେ ସହଜ ହୋଇଗଲା ଯେତେବେଳେ ଏଟିଏମ୍ ନାମକ ଏକ ମେସିନର ଆବିଷ୍କାର ହେଲା । ଟଙ୍କା ଉଠାଇବାକୁ ଲୋକଙ୍କୁ ଆଉ ବ୍ୟାଙ୍କ୍ ଦୌଡିବାକୁ ପଡ଼ିଲାନାହିଁ । ପ୍ରଥମେ ସହର ଆଉ ତାପରେ ଗାଁ ଗହଳିରେ ଏଟିଏମ୍ ସୁବିଧା ଉପଲବ୍ଧ ହୋଇଗଲା । ଲୋକ ଟଙ୍କା ଉଠାଇବା ପାଇଁ ଆଉ ହନ୍ତସନ୍ତ ହେଲେନାହିଁ । କିନ୍ତୁ ଏଇ କିଛି ବର୍ଷ ହେବ ଏହି ପ୍ରକ୍ରିୟାକୁ ବି ଆହୁରି ସରଳ କରିଦେଲା ୟୁପିଆଇ ସେବା । ମୋବାଇଲରେ ବାରକୋଡ୍ ସ୍କାନ୍ କରି ପାସୱାର୍ଡ ଦେଇଦେଲେ ଟଙ୍କା ଏ ଆକାଉଣ୍ଟରୁ ସେ ଆକାଉଣ୍ଟକୁ ମାରିଲା ଲଙ୍ଗ୍ ଜମ୍ପ୍ ।  

Advertisment

ATM 1

ହେଲେ ବର୍ତ୍ତମାନ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କାରବାର ଖୁବ୍ ଜୋରରେ ବୃଦ୍ଧି ପାଇବାରେ ଲାଗିଛି । ୟୁପିଆଇ କାରବାର ଏତେ ବଢିଯାଇଛି ଯେ ଏହା ଏବେ ଏଟିଏମ୍ କାରବାରକୁ ଗିଳିଦେବାକୁ ବସିଛି । ଏହାର ପ୍ରଭାବରେ ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ ଏଟିଏମ୍ ସଂଖ୍ୟା ହ୍ରାସ ପାଇଛି । ଆଜ୍ଞା ହଁ ଏକଥା ଆମେ ନୁହଁ ସଂସଦରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ଅନଲାଇନ୍ ପେମେଣ୍ଟରେ ଅତ୍ୟଧିକ ବୃଦ୍ଧି ଯୋଗୁଁ ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ସହର ଏବଂ ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି । 

UPI

ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ ମୋଟ ଏଟିଏମ୍ ସଂଖ୍ୟା ୨ ଲକ୍ଷ ୫୫ ହଜାର ୭୮ ରହିଥିବାବେଳେ ଠିକ୍ ବର୍ଷକ ପୂର୍ବେ ଏହି ସଂଖ୍ୟା ୨ ଲକ୍ଷ ୫୭ ହଜାର ୯୪୦ ରହିଥିଲା । ଏଟିଏମ୍ ସଂଖ୍ୟାରେ ପୂର୍ବାପେକ୍ଷା ୧ % ହ୍ରାସ ଘଟିଛି । ତେବେ ସବୁଠାରୁ ବଡ଼ ହ୍ରାସ ଗାଁରେ ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ୨.୨ ପ୍ରତିଶତ ଅର୍ଥାତ୍ ସେପ୍ଟେମ୍ବର ଶେଷ ସୁଦ୍ଧା ୫୪ ହଜାର ୧୮୬ କୁ ହ୍ରାସ ଘଟିଛି । ସଂସଦରେ ଉପସ୍ଥାପିିତ ରିଜର୍ଭ ବ୍ୟାଙ୍କର ତଥ୍ୟ ଦର୍ଶାଉଛି ଯେ ଏହି ସମୟ ମଧ୍ୟରେ ମେଟ୍ରୋରେ ଏଟିଏମ୍ ସଂଖ୍ୟାରେ ୧.୬ % ହ୍ରାସ ହୋଇ ୬୭ ହଜାର ୨୨୪ ରେ ପହଂଚିଛି । ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ସରକାରୀ ବ୍ୟାଙ୍କଗୁଡ଼ିକ ଦେଇଥିବା ତଥ୍ୟ ମୁତାବକ ବ୍ୟାଙ୍କଗୁଡ଼ିକର ଏଟିଏମ୍ ବନ୍ଦ ହେବାର ଅନେକ କାରଣ ରହିିଛି । ଯେଉଁଥିରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ , କମ୍ ଏଟିଏମ୍ କାରବାର , ବ୍ୟବସାୟିକ ସାମର୍ଥ୍ୟର ଅଭାବ , ଏଟିଏମ୍ ସ୍ଥାନାନ୍ତର ସାମିଲ୍ । ଏନେଇ ବ୍ୟାଙ୍କ୍ କୁହନ୍ତି , ପେମେଣ୍ଟ୍ ଉପକରଣ ଭାବରେ ୟୁପିଆଇ ଏବଂ କାର୍ଡର ବ୍ୟବହାର ପ୍ରଚୁର ହେଉଥିବା ଯୋଗୁଁ ନଗଦ କାରବାର କମିବାରେ ଲାଗିଛି । 

ଆପଣ ହିଁ ଦେଖୁନାହାନ୍ତି ପରିବା କିଣିବାଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାର ନେଣଦେଣ ପର୍ଯ୍ୟନ୍ତ ଗ୍ରାହକ ଯୁପିଆଇ ବ୍ୟବହାର କରୁଛନ୍ତି । ଫୋନ୍ ପେ , ଗୁଗୁଲ୍ ପେ , ପେଟିଏମ୍ , ଆମାଜନ୍ ପେ’ ମାଧ୍ୟମରେ ୧୦ ଟଙ୍କା ହେଲେ ମଧ୍ୟ ବାରକୋଡରେ ସ୍କାନ୍ କରିଦେଲେ ଟଙ୍କା ଟ୍ରାନ୍ସଫର୍ । ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ କୁହନ୍ତି , ୯ ବର୍ଷ ଭିତରେ ଦେଶରେ ଡିଜିଟାଲ୍ ପେମେଣ୍ଟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଜନଧନ ଯୋଜନା,ୟୁପିଆଇର ପ୍ରସାର ଏବଂ ମୋବାଇଲ୍ ଇଣ୍ଟରନେଟର ବ୍ୟାପକ ପ୍ରସାର ଯୋଗୁଁ ଏହା ସମ୍ଭବ ହୋଇଛି । ଗତ ୫ ବର୍ଷ ମଧ୍ୟରେ ୟୁପିଆଇ କାରବାର ୨୫ ଗୁଣା ବୃଦ୍ଧି ପାଇଛି । ୨୦୧୮-୧୯ ଆର୍ଥିକବର୍ଷରେ ଏହା ୫୩୫ କୋଟି ଟଙ୍କା ରହିଥିଲା , ୨୦୨୩ ରୁ ୨୪ ରେ ୧୩ ହଜାର ୧୧୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୪ ରୁ ୨୫ ଆର୍ଥିକବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୨୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୮୫୬୬ କୋଟିରୁ ଅଧିକ ୟୁପିଆଇ କାରବାର ରେକର୍ଡ ହୋଇଛି ।