କନକ ବ୍ୟୁରୋ : ସ୍ବାଧୀନତାକୁ ୭୮ ବର୍ଷ ବିତିଲାଣି । ଏବେ ବି ଏମିତି ଗାଁ ଅଛି ଯେଉଁଠି ମଟର ସାଇକେଲ୍ ତ’ ଦୂରର ସାଇକେଲଟିଏ ବି ଯାଇନାହିଁ । ଏପରି ଏକ ଉପାନ୍ତ ଗାଁକୁ ସରକାରଙ୍କ ନଜରକୁ ଆଣିବା ପାଇଁ ଗଞ୍ଜାମ ଜିଲ୍ଲା ପିଲିପଦର ଗାଁରେ ପହଞ୍ଚିଥିଲା କନକ ନ୍ୟୁଜ୍ ଟିମ୍ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ରାଜସ୍ବ ଗାଁ ପିଲିପଦର । ବିକାଶର ସଂଜ୍ଞା କ’ଣ ସେଠାକାର ଲୋକେ ଜାଣନ୍ତିନି । ପକ୍କା ରାସ୍ତା ଏଠି ସ୍ବପ୍ନ। ଭାରରେ ବୁହା ହୁଅନ୍ତି ରୋଗୀ । ଗୋଟେ ସ୍କୁଲ ଥିଲା, ରାସ୍ତା ନଥିବାରୁ ଶିକ୍ଷକ ଆସିଲେନି । ସେବେଠୁ ପିଲାଙ୍କ ପଢ଼ାରେ ବନ୍ଧା ହୋଇଛି ଡୋରି । ରାସନ କି ଭତ୍ତା ପାଇଁ ୭ କିଲୋମିଟର ପାହାଡ଼ ଚଢ଼ିବାକୁ ପଡ଼ୁଛି ।
ଦୁଃଖ ସେତିକିରେ ସରିନି, ୨୦୧୭ରେ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା , ଏବେ ତା' ବି ନାହିଁ । ଅନ୍ଧାରି ଗାଁର କାରଣ କଣ ଜାଣିଛନ୍ତି। ରାସ୍ତା ନଥିବାରୁ ବିଦ୍ୟୁତ୍ ବିଲ୍ ଆସିନଥିଲେ କର୍ମଚାରୀ । ତେଣୁ କାହାର ବିଲ୍ ୨୦ ହଜାର ତ’ ଆଉ କାହାର ୧୫ ହଜାର ବାକି ଅଛି। ତେଣୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି । ୮ ବର୍ଷ ହେଲାଣି ଲଣ୍ଠନ ଆଲୁଅ ଭରସାରେ ଗାଁ । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ । ପୂର୍ବରୁ ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରୁଥିଲେ । ହେଲେ ଏବେ ନାନା ସମସ୍ୟା ପାଇଁ ଅନେକ ପରିବାର ଗାଁ ଛାଡ଼ିସାରିଲେଣି ।