କନକ ବ୍ୟୁରୋ:                    ଭୋକିଲା ପେଟରେ ଶୋଉଥିଲେ…
                                      ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ
                                     ଖାଇବାକୁ ନଥିଲା ବୋଲି ଭୋକିଲା ରହୁଥିଲେ
                                     ବାପାଙ୍କ ସହ ବିଲରେ କାମ କରୁଥିଲେ
                                     ଆଜି ମୋଦୀଙ୍କ ଖାସ୍ , ମୁଖ୍ୟମନ୍ତ୍ରୀଙ୍କ ସଚିବ
ଆପଣଙ୍କର ମନେଥିବ, ୨୦୧୯ର ଲୋକସଭା ନିର୍ବାଚନର ସମୟ । ବାରାଣସୀରେ ବିଶାଳ ରାଲି କରିଥିଲେ ମୋଦୀ  । ତା ପରେ ସହଯୋଗୀଙ୍କ ସହ ଯାଇ ବାରାଣସୀ କଲେକ୍ଟରେଟ୍ ଅଫିସରେ ପହଞ୍ଚିଥିଲେ । ସିଟରେ ବସିଥିଲେ ଡଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍  । ଆଗରେ ଛିଡ଼ା ହୋଇଥିଲେ ମୋଦୀ  । ସେ ସମୟରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ  ଚେୟାରରେ ବସିଥିବା ଏହି ଅଫିସର । ତାଙ୍କ ସିଟକୁ ନେଇ ଯେତିକି ଆଲୋଚନା ସିଟରେ ବସିଥିବା ବାବୁଙ୍କୁ ନେଇ ସେତିକି ଚର୍ଚ୍ଚା ଯାହାଙ୍କ ଆଗରେ ନିୟମ ମାନି ଛିଡ଼ା ହୋଇଥିଲେ  ମୋଦୀ । ଅନେକ ସଫଳତା ପରେ ଆଜି ସେ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଚିବ ।

Advertisment

ଏ ହେଉଛନ୍ତି ଆଇଏଏସ୍ ସୁରେନ୍ଦ୍ର ସିଂହ । ଆଜି ଦେଶର ଜଣେ ଲୋକପ୍ରିୟ ତଥା ବରିଷ୍ଠ ଆଇଏଏସ୍  । ନେତାମନ୍ତ୍ରୀଙ୍କର ଭାରୀ ପ୍ରିୟ ।  ଜଣେ ସଫଳ ଆଡମିନିଷ୍ଟ୍ରେଟର । କିନ୍ତୁ ଆରମ୍ଭରୁ ଏ ସଫଳତାର ରାସ୍ତା କେତେ ଯେ କଣ୍ଟାରେ ଭରା ଥିଲା ସେ କଥା ହୁଏତ ହାତଗଣତି କେଇ ଜଣ ଜାଣିଥିବେ । 

୧୯୭୮ ଅଗଷ୍ଟ ୧୫ ତାରିଖ ମଥୁରା ଜିଲ୍ଲା ଯୋଧପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ସିଂ । ଭାରୀ ଗରିବ ପରିବାର । ବାପା ଲୋକଙ୍କ ଜମିବାଡ଼ିରେ କାମ କଲେ ଘରେ ହାଣ୍ଡିରେ ଚାଉଳ ପଡ଼େ । ଘରର ଅବସ୍ଥା ଏତେ ଖରାପ ଥିଲା ଯେ ଅନେକ  ସମୟରେ ଘରେ ଚୁଲି ଜଳିବା ବି ମୁସ୍କିଲ ହୁଏ  । ଅନେକ ରାତି ଖାଲି ପେଟରେ ଭୋକରେ ଶୋଇପଡ଼ନ୍ତି ସୁରେନ୍ଦ୍ର ଓ ବଡ଼ ଭାଇ  । ପିଲାଙ୍କ ଏ କଷ୍ଟ ଦେଖି ଆଖିରୁ ଲୁହ ଝରାଇବା ଛଡ଼ା ବାପା ହରି ସିଂହ ଓ ମାଆଙ୍କ ପାଖରେ ଆଉ କିଛି ଚାରା ନଥାଏ  । 

ପେଟ ଖାଲି ଥିଲେ ବି ସୁରେନ୍ଦ୍ରଙ୍କ ଚପଳ ମନରେ ପାଠ ପଢ଼ିବାକୁ ପ୍ରବଳ ଆଗ୍ରହ ଥାଏ । ସାନ ପୁଅର ପଢ଼ା ପ୍ରତି ଆଗ୍ରହ ଦେଖି ସେ ଜଣେ କଲେକ୍ଟର ବାବୁ ବନୁ ବୋଲି ସ୍ବପ୍ନ ଦେଖୁଥାନ୍ତି ବାପା  । ଏ ପଟେ ବଡ଼ ଭାଇଙ୍କ ସହ ଗାଁ ସରକାରୀ ସ୍କୁଲକୁ ଯଆନ୍ତି ସୁରେନ୍ଦ୍ର । ସ୍କୁଲରୁ ଫେରି ବାପାଙ୍କ ସହ ବିଲରେ କାମ କରନ୍ତି । କାଳେ ଅଧିକ ଦି ପଇସା ମିଳିଯିବ । ଏମିତି ଅଷ୍ଟମ ଯାଏଁ ଗାଁ ସ୍କୁଲରେ ହେଲା ସୁରେନ୍ଦ୍ରଙ୍କ ପ୍ରାଥମିକ ପାଠପଢା । ଏହାପରେ ଯେତେବେଳେ ଭାଇ ଭାରୀ କଷ୍ଟ କରି ଦିଲ୍ଲୀର ଏକ ପ୍ରାଇମେରି ସ୍କୁଲରେ ଚାକିରି ପାଇଲେ, ସୁରେନ୍ଦ୍ରଙ୍କୁ ନିଜ ପାଖକୁ ନେଇଗଲେ । ସେଠାରେ ସୁରେନ୍ଦ୍ର ଦଶମ ବୋର୍ଡ ପାସ୍ କରିବା ପରେ ଇଣ୍ଟରମିଡିଏଟରେ ଭଲ ନମ୍ବର ରଖି ପାସ୍ କଲେ । ଏହାପରେ ରାଜସ୍ଥାନ ଯାଇ ସେଠାରେ ଜିଓଲୋଜି ଅନର୍ସ ଓ ସ୍ପେଶାଲ ପେପରରେ ବିଏସସି ଓ ଏମଏସସି କଲେ । ପଢ଼ିବା ସମୟରେ ହିଁ ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଲେ ଏବଂ ସୁବଥିରେ କୃତକାର୍ଯ୍ୟ ବି ହେଲେ । ଏୟାରଫୋର୍ସରେ ଚାକିରି, ପରେ ଓଏନଜିସିରେ ଜିଓଲୋଜିଷ୍ଟ ପୋଷ୍ଟ । ୩ ତିନି ଥର ପି ସିଏସ୍ ପରୀକ୍ଷା ପାସ୍ କଲେ ସୁରେନ୍ଦ୍ର କିନ୍ତୁ ଜଏନ୍ କଲେନି  । କାରଣ ଆଇଏଏସ୍ ବ୍ୟତୀତ ଟିକେ ବି କମ୍ ତାଙ୍କୁ ମଂଜୁର ନଥିଲା । ବାପାଙ୍କ ସ୍ବପ୍ନ ପୂରଣ କରି ତାଙ୍କ ମୁହଁରେ ଟିକେ ହସ ଦେଖିବା ଯେପରି ସୁରେନ୍ଦ୍ରଙ୍କ ସ୍ବପ୍ନ  ପାଲଟିଥିଲା । ଶେଷରେ ତାହା ହିଁ ହେଲା । ୨୦୦୫ରେ ୟୁପିଏସସି ପରୀକ୍ଷାରେ ୨୧ ରାଙ୍କ ରଖି IAS ବନିଲେ ସୁରେନ୍ଦ୍ର ।

୨୦୦୫ରୁ ଆଜିଯାଏଁ  ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି ନିଜର ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି ସୁରେନ୍ଦ୍ର ସିଂହ । ବିଭିନ୍ନ ଜିଲ୍ଲାର ଜିଲ୍ଶାପାଳ ଥିବା ସମୟରେ ଲୋକଙ୍କ ସମସ୍ୟାକୁ ତ୍ବରିତ ସମାଧାନ କରିବାରେ ସେ ଜଣେ ଆଗୁଆ ଆଇଏଏସର  ପରିଚୟ ପାଇଛନ୍ତି  । ୨୦୧୨ରେ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ନିର୍ବାଚନ କମିସନଙ୍କ ପକ୍ଷରୁ ବେଷ୍ଟ ଇଲେକ୍ସନ୍ ପ୍ରାକ୍ଯିସ୍ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା। ଏହା ବ୍ୟତୀତ ମନରେଗା ଯୋଜନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ  ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂ ସମ୍ମାନୀତ କରିଥିଲେ । ଅନେକ ଥର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଆଜି ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସଚିବ, ସବୁବେଳେ ତାଙ୍କ ପାଖେ ପାଖେ ରୁହନ୍ତି ।

 କଷ୍ଟ କରିଥିଲେ ବୋଲି ଆଜି ସେ ହସିପାରୁଛନ୍ତି ଅନ୍ୟକୁ ହସାଇପାରୁଛନ୍ତି । ବାପା, ମାଆ, ପତ୍ନୀ ଗରୀମା ସିଂ, ଦୁଇ ଝିଅଙ୍କ ସହ ତାଙ୍କର ଶାନ୍ତିପୂର୍ଣ୍ଣ ପରିବାର । ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହେବା ସତ୍ତ୍ବେ ଅତି ସାଧାରଣ ଜୀବନ ବିତାଇବାକୁ ଭଲପାଆନ୍ତି ସୁରେନ୍ଦ୍ର ସିଂହ । ସେ କହୁନ୍ତି ’ ’ଅତୀତ ମୋତେ ସବୁବେଳେ ବାଟ କଢ଼ାଏ  । ଅତୀତ ହିଁ ମୋର ମାର୍ଗଦର୍ଶକ’ । ଆଜି ବି ଚୁଲି ସେକା ରାଟି ଖାଆନ୍ତି ସୁରେନ୍ଦ୍ର । ଆଜି ସେ ଦେଶର ସେ ସମସ୍ତଙ୍କ ପାଇଁ ଜଣେ ମେଣ୍ଟର, ଯେଉଁମାନେ ସାମାନ୍ୟ ବିଫଳତାରେ ଅଟକି ଯାଆନ୍ତି ଧୈର୍ଯ୍ୟହରା ହୋଇ ଜୀବନ ହାରିବାକୁ ବି ନିଷ୍ପତ୍ତି ନେଇଯାଆନ୍ତି । ଏ ଜୀବନରେ ସ୍ବପ୍ନ ଦେଖିବାକୁ ପଡ଼ିବ ଆଉ ତାକୁ ପୂରଣ ବି ନିଜକୁ ହିଁ କରିବାକୁ ପଡ଼ିବ । ସଫଳ ହେବାକୁ ବାହ୍ୟ ଶକ୍ତି ଅପେକ୍ଷା ନିଜର ଆତ୍ମବିଶ୍ବାସ ଓ ପରିଶ୍ରମ ଏକାନ୍ତ ଜରୁରି ଯାହାର ବିକଳ୍ପ ନାହିଁ ।