କନକ ବ୍ୟୁରୋ: ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ସଂଶୋଧନ ବିଲର ଭାଗ୍ୟ ଫିଟୁନି। ଅନ୍ୟପଟେ ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଗୁଡିକର ବହୁ ସଂଖ୍ୟାରେ ଅଧ୍ୟାପକ ଓ ପ୍ରଫେସର ପଦବୀ ଫାଙ୍କା ପଡିଛି। ଗେଷ୍ଟ ଫାକଲଟିରେ ପାଠ ପଢ଼ା ଚାଲିଛି। ଏହି ତଥ୍ୟ ଉଚ୍ଚଶିକ୍ଷା ବିଭାଗର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। 

Advertisment

ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ପ୍ରଫେସର, ଅଧ୍ୟାପକ ଓ ଅଧ୍ୟାପିକା ପଦବୀକୁ ନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଅଛି। ସେଥିମଧ୍ୟରୁ ୬୯୬ଟି ପଦବୀରେ କାର୍ୟ୍ୟ କରୁଛନ୍ତି ଏବଂ ୧୩୦୭ଟି ପଦବୀ ଖାଲି ପଡିଛି। ୧୭ ଟି ବିଶ୍ୱ ବିଦ୍ୟାଳୟରେ ୯୬୩ ଜଣ ଗେଷ୍ଟ ଫ୍ୟାକୋଲିଟ ପାଠ ପଢ଼ାଉଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଓ ରେଭେନ୍ସାରେ ସବୁଠୁ ଅଧିକ ପଦବୀ ଫାଙ୍କା ପଡିଛି।  ରାଜ୍ୟରେ ଥିବ ଏଭଳି ସ୍ଥିତିକୁ ନେଇ ଶାସକ ଦଳକୁ କଡା ସମାଲୋଚନା କରିଛନ୍ତି ବିରୋଧୀ। 

କେବଳ ପ୍ରଫେସର କି ଅଧ୍ୟାପକ ପଦ ଫାଙ୍କା ପଡିନି, ଅଣଶିକ୍ଷକ ପଦବୀ ବି ଫାଙ୍କା ପଡିଛି। ତଥ୍ୟ ଅନୁସାରେ ୧୭ଟି ବିଶ୍ବବିଦ୍ୟାଳୟରେ ୨୬୯୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ରହିଛି। କିନ୍ତୁ ସେଥିରୁ ମାତ୍ର ୭୮୨ଟି ପଦବୀରେ କର୍ମଚାରୀ ଅଛନ୍ତି। ବାକି ୧୯୧୦ଟି ପଦବୀ ଖାଲି ପଡିଛି। ଯାହାକି ଅଡୁଆକୁ ବଢ଼ାଇ ଦେଇଛି । ବିଧାନସଭାର ଏହି ତଥ୍ୟ ରାଜ୍ୟରେ ଉଚ୍ଚଶିକ୍ଷାର ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି।