କନକ ବ୍ୟୁରୋ: ଅଗ୍ନୀ ଭୈରବ ଥୁଆମୁଳ ରାମପୁରର ଆରାଧ୍ୟ ଦେବତା । ଦେବୀ ମାଁ ମାଣିକେଶ୍ୱରୀ ଶକ୍ତି ଅଗ୍ନୀ ଭୈରବ ପୂଜିତ ହେଇ ଆସୁଛନ୍ତି । ପରମ୍ପରା ଅନୁସାରେ ଆଶ୍ୱିନ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଅଗ୍ନୀ ଭୈରବଙ୍କ ବାଲିଯାତ୍ରା ତଥା ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ବହୁ ଶ୍ରଦ୍ଧାଳୁ ଅଗ୍ନି ଭୈରବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । 

Advertisment

ଅଗ୍ନିଭୈରବଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସେପଟେ ଅଗ୍ନିଭୈରବଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁସିତ ଥୁଆମୁଳ ରାମପୁରରେ ଚାଲିଛି ଅଗ୍ନିଭୈରବଙ୍କ ଝାମୁଯାତ୍ରା । ଗୋବରରେ ପିଣ୍ଡି ପ୍ରସ୍ତୁତ କରି ଭୈରବ ଓ ମା ମାଣିକେଶ୍ୱରୀଙ୍କ ଘଟ ସ୍ଥାପନ କରୁଛନ୍ତି ପୂଜକ । 
ଭାଦ୍ରବ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥୀରେ ବାଳି କାଢି ବିଭିନ୍ନ ପ୍ରକାର ଶସ୍ୟକୁ ରୋପଣ କରାଯାଏ । ୯ ଦିନ ଧରି ପୂଜା ପରେ ପଞ୍ଚମ ତିଥୀରେ ସର୍ବସାଧାରଣରେ ସେହି ବାଲିଗଜାକୁ ପ୍ରକାଟ କରାଯାଏ । ସେହି ବାଲିଗଜାରୁ ଚଳିତ ବର୍ଷର ଚାଷ କେମିତି ହେବ ଜଣାପଡେ ବୋଲି ବିଶ୍ୱାସ ରହିଛି ।

ତେଣୁ ଏହାକୁ ବାଲିଯାତ୍ରା ମଧ୍ୟ କୁହାଯାଇ ଥାଏ । ପୂଜାର୍ଚ୍ଚନା ପରେ ଅଗ୍ନିଭୈରବଙ୍କ କାଳିସୀ ଅଗ୍ନିରେ ଚାଲି ଭକ୍ତଙ୍କୁ ନିଜର ପରାକାଷ୍ଠା ଦେଖାଇଛନ୍ତି ।  ଅଗ୍ନିଭୈରବଙ୍କ ଝାମୁଯାତ୍ରା ଦେଖିବାକୁ ଆଖପାଖ ଅଂଚଳ ସମେତ ରାୟଗଡା, ନବରଙ୍ଗପୁର ଓ ପଡୋଶୀ ଛତିଶଗଡରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଏହି ଯାତ୍ରାରେ ମାନସିକ କରିଥିବା ଭକ୍ତ ଶହ ଶହ କୁକୁଡା, ପାରା, ଛେଳି, ବୋଦା ବଳି ଦେଇଛନ୍ତି । ଥୁଆମୂଳ ରାମପୁରର ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠଗୁଡ଼ିକରେ ପାର୍ବଣ ପୂଜା ଆରମ୍ଭ ହୋଇଥାଏ ।