କନକ ବ୍ୟୁରୋ : ବୁଧବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭିତର ଓ ବାହାର ରତ୍ନଭଣ୍ଡାରର ନୀରିକ୍ଷଣ କରିବେ ଏଏସଆଇ ଟିମ୍‌ । ଏଏସଆଇ ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଅନୁସାରେ ହେବ ଯାଞ୍ଚ ପ୍ରକ୍ରିୟା । ଗୁପ୍ତ ସୁଡ଼ଙ୍ଗ ଓ କୋଠରୀର ସନ୍ଧାନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ । ରତ୍ନଭଣ୍ଡାର ଚଟାଣ ତଳେ ଓ କାନ୍ଥ ପଛପଟେ କଣ ରହିଛି, ତାହା ଜାଣିବା ପାଇଁ ଜିପିଆର ସର୍ଭେ ଓ ଲେଜର ସ୍କନିଂ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ।

ରତ୍ନଭଣ୍ଡାର ଯାଞ୍ଚ ପାଇଁ ରାତି ୨ଟାରୁ ହେବ ଦ୍ବାରଫିଟା ନୀତି । ଅପରାହ୍ନ ୨ଟା ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ସରିବା ପରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ । ଏହି ସମୟରେ ଭକ୍ତମାନେ ସିଂହଦ୍ବାର ଦେଇ ଆନନ୍ଦବଜାର ଯିବା ସହ ମହାପ୍ରସାଦ କିଣିପାରିବେ । ତେବେ ରତ୍ନଭଣ୍ଡାର ମରାମତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି । 

ଲେଜର ସ୍କାନିଂ ପରେ ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ରହସ୍ୟ ଉପରୁ ପରଦା ହଟିବ । ଏଥିସହ ସ୍ଥିତି ଯାଞ୍ଚ ପରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ କରିବ ଏଏସଆଇ ଟିମ୍‌ । ରତ୍ନଭଣ୍ଡାର ମରାମତି ପରେ ଆରମ୍ଭ ହେବ ରତ୍ନ ଗଣତି ମଣତି ପ୍ରକ୍ରିୟା ।