କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ନିତିଦିନିଆ ଜୀବନ ଖୁବ୍ ସରଳ ହୋଇଗଲାଣି । ଯେବେଠାରୁ ଅନଲାଇନ୍ ଡେଲିଭରି ସୁବିଧା ଆସିଗଲାଣି ଲୋକଙ୍କୁ ଆଉ ବ୍ୟସ୍ତ ହେବାକୁ ପଡୁନି । କୁଆଡ଼େ ଯିବା ପାଇଁ ବସ୍ କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁନି କି ଖାଦ୍ୟ ଘରେ ପ୍ରସ୍ତୁତ ନ କରିଥିଲେ ମଧ୍ୟ ଭୋକରେ ରହିବାର ଚିନ୍ତା ନେବାକୁ ପଡୁନି । କାରଣ ସବୁ ସମସ୍ୟାକୁ ଏବେ ସରଳ କରିଦେଇଛି ଅନଲାଇନ୍ ଡେଲିଭରି ସୁବିଧା । ସାନ ଭଉଣୀ ପାଇଁ ଡ୍ରେସ୍ କିଣିବାଠୁ ଆରମ୍ଭ କରି ସାଙ୍ଗ ପାଇଁ ପିଜ୍ଜା ମଗାଇବା ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଉଛି ଏହି ସବୁ ଅନଲାଇନ୍ ପ୍ଲାଟଫର୍ମ । ହେଲେ ବର୍ତ୍ତମାନ ଏହି ସାଇଟ୍ ଗୁଡ଼ିକ ପରିବା ମଗାଇବାଠାରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତ ସବୁ ମାତ୍ର ୧୦ ମିନିଟରେ ହାତ ପାହାନ୍ତରେ ପହଞ୍ଚିବାର ସୁବିଧା ଯୋଗାଉଛି । ଆପଣ ବାସ୍ ଘରେ ବସି ଅର୍ଡର କରିବେ ଆଉ ୧୦ ମିନିଟ୍ ଭିତରେ ଆପଣଙ୍କ ସାମଗ୍ରୀ ଧରି ଘରେ ପହଞ୍ଚିଯିବେ ଡେଲିଭରି ବୟ । ହେଲେ ପ୍ରଶ୍ନ ଉଠୁଛି ଅଫିସ୍ ଗଲାବେଳେ ଯେମିତି ଅନ୍ୟ ଲୋକଙ୍କୁ ଟ୍ରାଫିକ୍ ଜାମ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ କ’ଣ ଏହି ଡେଲିଭରି ବୟ ସେହି ଅସୁବିଧା ସହ ଗତି କରୁନାହାନ୍ତି କି ? ୧୦ ମିନିଟରେ ଯେଣତେଣ ଭାବରେ ପହଞ୍ଚାଇବାର ପ୍ରେସର୍ ରହୁଛି ନା ସତରେ ବିନା ସମସ୍ୟାରେ ଏମାନେ ସାମଗ୍ରୀ ମାତ୍ର କମ୍ ସମୟରେ ପହଞ୍ଚାଇବାର ସାମର୍ଥ୍ୟ ରଖନ୍ତି ।
/filters:format(webp)/kanak/media/media_files/2025/08/07/ex-blinkit-employee-2025-08-07-11-09-04.jpg)
ଏହି ପ୍ରଶ୍ନ ଘାଣ୍ଟୁ ଘାଣ୍ଟୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ରେଡିଟ୍ ଉପରେ ଆମର ନଜର ପଡ଼ିଥିଲା । ଯେଉଁଥିରେ ଜଣେ ଡେଲିଭରି ବୟ Blinkit ,Instamart ଏବଂ ଜେପ୍ଟୋ ଭଳି ଅନଲାଇନ୍ କମ୍ପାନିଗୁଡ଼ିକର ପ୍ରଚ୍ଛଦପଟର ଦୁଃଖଭରା କାହାଣୀ କହିଥିଲେ । ସେ ସେଥିରେ ଲେଖିଥିଲେ :
‘‘ଗ୍ରାହକଙ୍କୁ ମାତ୍ର ୧୦ ମିନିଟ୍ ଭିତରେ ସେବା ଯୋଗାଇଦେବାର ଖୁସି ଆମ ଡେଲିଭରି ବୟମାନଙ୍କ ମଧ୍ୟରେ ଥାଏ । ଗ୍ରାହକଙ୍କୁ ଖୁସି ହେବାର ଦେଖି ଆମକୁ ବି ଖୁସି ଲାଗେ । କିନ୍ତୁ ବାସ୍ତବରେ ଦେଖିଲେ ଅଲ୍ଟ୍ରାଫାଷ୍ଟ୍ ସେବା ଆମ ପାଇଁ ଅନେକ ପ୍ରେସର୍ ଆଣିବା ସହ ଜୀବନକୁ ବାଜି ଲଗାଇ କାମ କରିବା ଭଳି ହୁଏ । କମ୍ପାନି ମାଲିକଙ୍କ ଉପରୁ ଚାପ ଥାଏ ଯେ ଯେମିତି ବି ହେଉ ୧୦ ମିନିଟରେ ହିଁ ସାମଗ୍ରୀ ପହଞ୍ଚାଇବାକୁ ବାଧ୍ୟ । ପ୍ରତି ପିକିଙ୍ଗ୍ ଆଇଟମ୍ (PPI) ଆମ ପାଇଁ ଚାପ ଆଣିଦିଏ । ବେଳେବେଳେ ଏମିତି ଲାଗେ ଡେଲିଭରି ବୟଙ୍କୁ ଚାଲି କରି ପାର୍ସଲ୍ ପହଞ୍ଚାଇବାକୁ ନୁହେଁ ଦୌଡ଼ି ଦୌଡ଼ି ଯିବାକୁ କୁହାଯାଉଛି । ଗହଳି ରାସ୍ତା , ଟ୍ରାଫିକ୍ ସମସ୍ୟା ଭିତରେ ମଧ୍ୟ ଜୀବନକୁ ବାଜି ଲଗାଇ ଆମକୁ ଗ୍ରାହକଙ୍କ ପାର୍ସଲ୍ ପହଞ୍ଚାଇବାର ଥାଏ । ଏମିତି ବହୁତଥର ହୋଇଛି ଡେଲିଭରି ବୟ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଏମିତି କି କେତେକଙ୍କ ଦୁର୍ଘଟଣାରେ ମୋବାଇଲ୍ ମଧ୍ୟ ଭାଙ୍ଗିଯାଇଛି । ସବୁବେଳେ ତରତର ହୋଇ କାମ କରିବା ସେ ବି ବିନା ସୁରକ୍ଷାରେ ସତରେ ବହୁତ କଷ୍ଟଦାୟକ । ଯଦିବା କୌଣସି କାରଣରୁ ପାର୍ସଲ ମିଳିଲା ବେଳେ ବିଳମ୍ବ ହୁଏ , ଷ୍ଟକରେ ଉପଲବ୍ଧ ନଥାଏ କିମ୍ବା ରାସ୍ତାରେ ସମସ୍ୟା ସୃଷ୍ଟି ହୁଏ ସେତେବେଳେ ଗ୍ରାହକ Log Out କରି ପାର୍ସଲ୍ ନେବାକୁ ମନା କରିଦିଅନ୍ତି । ଯାହା ଆମ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ କାମ କରେ । କାରଣ ଉଚ୍ଚ ଅଧିକାରୀଙ୍କ ପ୍ରେସର୍ ତ ମୂଳରୁ ଥାଏ ତା’ ଉପରେ ଗ୍ରାହକ ବିଳମ୍ବର ଦୋଷ ଡେଲିଭରି ବୟଙ୍କ ଉପରେ ଲଦି ଦିଅନ୍ତି । ଏମିତି ହେଲେ ଆମକୁ ଅଯଥା ଗାଳି ଶୁଣିବାକୁ ପଡ଼େ,ବେଳେବେଳେ ଚାକିରି ମଧ୍ୟ ଚାଲିଥାଏ । ଗରିବ ପରିବାରର ଯୁବକଙ୍କ ପାଇଁ ଏହା ଅନ୍ୟାୟ କହିଲେ କିଛି ଭୁଲ୍ ହେବନି ।’’
ଡେଲିଭରି ବୟଙ୍କ ଦୁଃଖ ଶୁଣିଲେ ସତରେ ସେମାନଙ୍କ ପ୍ରତି ଅନ୍ୟାୟ ହେଉଥିବାର ଅନୁଭବ ହୁଏ । ପେଟ ଚାଖଣ୍ଡକ ପାଇଁ ସମସ୍ତେ ପରିଶ୍ରମ କରନ୍ତି କିନ୍ତୁ କର୍ମଚାରୀଙ୍କୁ ପଶୁ ଭାବିବା ଏବଂ ଗ୍ରାହକଙ୍କ ଭିତରେ ଧର୍ଯ୍ୟର ଅଭାବ ରହିବା ସତରେ ଡେଲିଭରି ବୟଙ୍କ ଜୀବନକୁ ଆହୁରି ଦୁଃଖଦାୟକ କରିଦେଉଛି ।