କନକ ବ୍ୟୁରୋ : ଚାରିଆଡ଼େ ପାଳିତ ହୋଇଛି ୭୯ତମ ସ୍ବାଧୀନତା ଦିବସ ସମାରୋହ । ଫର୍ ଫର୍ ହୋଇ ଉଡ଼ିଛି ତ୍ରିରଙ୍ଗା । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ୱଲପୁର, ବାଲେଶ୍ୱର ଓ ରାଉରକେଲାରେ ଧୁମ୍ଧାମ୍ରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଭୁବନେଶ୍ବରରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ମହିଳାଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପୁରୀ ତାଳବଣିଆ ଇନ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ସମ୍ମିଳିତ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଖେଳପଡ଼ିଆରେ ଉପଖଣ୍ଡସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।
ସମ୍ବଲପୁର ରିଜର୍ଭ ପୁଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାଵେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ l ବାଲେଶ୍ୱରରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ରାଉରକେଲାରେ ଉଦିତନଗର ଉତ୍ତରାଞ୍ଚଳ ଆର୍ଡିସି ସଚିନ ଏସ୍ ଯାଦବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।