କନକ ବ୍ୟୁରୋ : ଆଖିରେ ଥିଲା ଆଖିଏ ସ୍ବପ୍ନ । ପାକ୍କା ଘର ଖଣ୍ଡିଏ କରି ହସଖୁସିରେ ଚଳିବ ପରିବାର । ପୁଅ-ଝିଅ ପାଠ ପଢ଼ିବେ । ଅନେକ ଆଶା ନେଇ ଘରୁ ଗୋଡ଼ କାଢ଼ିଥିଲେ ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ନୟାବାଲି ଗାଁର ସୁଶାନ୍ତ ମଙ୍ଗରାଜ । ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସେଠାରେ ନଦୀରେ ବୁଡ଼ି ସୁଶାନ୍ତଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛି ତାଙ୍କ ପରିବାର । ମୋବାଇଲରେ ବାପାଙ୍କ ଫଟୋକୁ ଦେଖି ବାହୁନି ବାହୁନି କାନ୍ଦୁଛି ୧୧ ବର୍ଷ କୁନି ଝିଅ ରୋଜିତା । କାନ୍ଦିକାନ୍ଦି ସଜ୍ଞାହୀନ ହୋଇପଡୁଛନ୍ତି ସ୍ତ୍ରୀ ସଞ୍ଜୁଲତା । ଏସବୁ ଦେଖି ହତବାକ୍ ହୋଇଯାଇଛି ୧୪ ବର୍ଷର ନାବାଳକ ପୁଅ ରାକେଶ । ସୁଶାନ୍ତଙ୍କ ପରିବାରକୁ ଦେଖି ସାହି ପଡ଼ିଶାଙ୍କ ଧୈର୍ଯ୍ୟ ରହୁନି । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ । ଘରେ ଚୁଲି ଜଳିନି । ଅର୍ଥାଭାବରୁ ଘରକୁ ଆସି ପାରିଲାନି ସୁଶାନ୍ତଙ୍କ ମୃତଦେହ । ବାପାଙ୍କ ଶେଷ ଦର୍ଶନ କରି ପାରିଲେନି ପୁଅ-ଝିଅ । ଅତ୍ୟନ୍ତ ଗରିବ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ସବୁଦିନ ପାଇଁ ଆଖି ବୁଜିଦେବା ପରେ ଭଙ୍ଗା ଦଦରା ଘରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ଦୁଇପିଲାଙ୍କ ଭବିଷ୍ୟତ ।
ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସହାୟତାର ହାତ ବଢାନ୍ତି ତାହା ହେଲେ ସୁଶାନ୍ତଙ୍କ ପୁଅ-ଝିଅ ପାଠ ପଢି ବାପାଙ୍କ ଅଧୁଆ ସ୍ୱପ୍ନ ପୂରଣ ହୋଇପାରନ୍ତା ।