କନକ ବ୍ୟୁରୋ : ଡେଡଲାଇନ୍ ସରିଲା, ଆରମ୍ଭ ହେଲା କଡା ଚେକିଂ । ରାଜଧାନୀ ଭୁବନେଶ୍ୱରରେ ଛକ ଛକରେ ଜଗିଛି ପୋଲିସ । ଟ୍ରାଫିକ୍ ନିୟମ ନମାନୁଥିବା ଲୋକଙ୍କର କଟୁଛି ଚାଲାଣ । କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ କଡାକଜି ଚେକିଂ ଆରମ୍ଭ ହୋଇଯାଇଛି । ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । 

Advertisment

ଭୁବନେଶ୍ୱର ଏଜି ଛକରେ ଜଣେ କାର ଚାଳକଙ୍କୁ ୫ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି । କାରର କାଚରେ କଳା ଜରି ଲଗାଇଥିବାରୁ କାରକୁ ଅଟକାଇ ଫାଇନ୍ ଆଦାୟ କରିଛି ଟ୍ରାଫିକ୍ ପୋଲିସ୍ । ମଦ ପିଇ ଗାଡି ଚଲାଉଥିବା ଚାଳକଙ୍କଠୁ ୧୦ହଜାର ଟଙ୍କାର ଫାଇନ୍ ଆଦାୟ କରିବା ସହ ଗାଡିକୁ ସିଜ୍ କରିଛି କମିଶନରେଟ୍ ପୋଲିସ । ଖାସ୍ କରି ହେଲମେଟ୍ ନପିନ୍ଧି ଗାଡି ଚଲାଉଥିବା ବେପରୁଆ ଗାଡି ଚାଳକ ପୋଲିସ ଟାର୍ଗେଟରେ ରହିଛନ୍ତି । ବିନା ହେଲମେଟରେ ଆସୁଥିବା ଗାଡି ଚାଳକଙ୍କୁ ଘରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ପୋଲିସ ।

ଯଦି ଗତକାଲିର ତଥ୍ୟ ଉପରେ ନଜର ପକାଇବା ତେବେ, ଗତକାଲି ୧୯ଟି ଚାରି ଚକିଆକୁ ସିଜ୍ କରାଯାଇଛି । ୯୫ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି । ଆଜି ବି ସମାନ ଢଙ୍ଗରେ ଆରଟିଓ ଓ କମିଶନରେଟ୍ ପୋଲିସ ମିଳିତ ଭାବେ ଚଢାଉ ଜାରି ରଖିଛି । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ପୋଲିସ ଅଦିକାରୀ କହିଛନ୍ତି, ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି । କାରରେ କଳା କାଚ ବାଇକରେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଥିବା ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉଛି ।