କନକ ବ୍ୟୁରୋ: ପର୍ଯ୍ୟଟନ କାର୍ଯ୍ୟାଳୟ ଅଛି । ହେଲେ ସେଠାରେ ଚାଲିଛି କ'ଣ? ନାହାନ୍ତି ଅଧିକାରୀ । ସରକାରୀ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ୍ । ମଦ୍ୟପଙ୍କ ଆଡ୍ଡାସ୍ଥଳୀ । ସେହିଭଳି ଢଙ୍ଗରେ ଅତିଥି ଭବନ ବି କୌଣସି କାମରେ ଆସୁନାହିଁ । ୧୫ ବର୍ଷ ତଳୁ କୋଟିକୋଟି ଟଙ୍କାରେ ନିର୍ମାଣ ହୋଇଥିବା କୋଠା ଏବେ ଜଗୁଆଳିଙ୍କ ଭରସାରେ ।
କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ନିକଟରେ ନିର୍ମାଣ ହୋଇଛି ଅତିଥି ଭବନ । ବାହାର ପର୍ଯ୍ୟଟକ ଆସିବେ, ଏଠାରେ ରହିବେ । ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆତିଥ୍ୟ ପ୍ରଦାନ କରାଯିବ । ସେହି ଲକ୍ଷ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚରେ ୧୫ ବର୍ଷ ତଳୁ ନିର୍ମାଣ ହୋଇଥିବା କୋଠାଟି ଭୂତକୋଠି ପାଲଟିଯାଇଛି । କିନ୍ତୁ ଏଯାଏଁ ଦିନେ ବି ବ୍ୟବହାର ହୋଇପାରିନାହିଁ । ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଘରେ ମଦ୍ୟପମାନେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି ।
ସେହିପରି କୋଟିକୋଟି ଟଙ୍କାରେ ନିର୍ମିତ ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ । ହେଲେ ନାହାନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ଜଣେ ଅଧିକାରୀ ଦୁଇଟି ଜିଲ୍ଲା କେନ୍ଦ୍ରାପଡ଼ା ଓ ଯାଜପୁର ଦାୟିତ୍ଵରେ ଥିବାରୁ କେନ୍ଦ୍ରାପଡ଼ା କାର୍ଯ୍ୟାଳୟରେ ବାବୁଙ୍କ ଦେଖା ମିଳିବା କଷ୍ଟକର ହୋଇପଡ଼ିଛି । ଦୁଇ ଜଣ କର୍ମଚାରୀ ଖାଲି ଯାହା ଅଫିସକୁ ଜଗି ରହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ବିଶ୍ୱ ପର୍ଯ୍ୟଟନ ମାନଚିତ୍ର ସ୍ୱତନ୍ତ୍ର ସ୍ଥାନ ପାଇଥିବା ଭିତରକନିକା । ବଳଦେବଜୀଉ ମନ୍ଦିରକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଜିଲ୍ଲାରେ ଥିବା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଅତିଥି ଭବନ ଅବସ୍ଥା ଦେଖିଲେ, ବିପର୍ଯ୍ୟସ୍ତ ବ୍ୟବସ୍ଥା ଜଳଜଳ ହୋଇ ଦିଶୁଛି ।