କନକ ବ୍ୟୁରୋ: ତିରୁପତି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ବିବାଦ ବଢିବାରେ ଲାଗିଛି । ଘଟଣାକୁ ନେଇ ହିନ୍ଦୁଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି ତିରୁପତି ମନ୍ଦିର ଟ୍ରଷ୍ଟ ‘ତିରୁମାଳା ତିରୁପତି ଦେବସ୍ଥାନ’ । 

Advertisment

ତିରୁମାଳା ତିରୁପତି ଦେବସ୍ଥାନ’ କହିଛି, ଲଡ଼ୁର ପବିତ୍ରତା ପୁନଃ ସୁନିଶ୍ଚିତ କରାଯାଇଛି । 
ମନ୍ଦିର ଟ୍ରଷ୍ଟ ସାମିୟକ ପାଇଁ ଗାଈ ଘିଅରେ ପ୍ରସାଦ ପ୍ରସ୍ତୁତ କରାଯାଉଛି । 
ଅପମିଶ୍ରଣ  ଅଭିଯୋଗ ପରେ ପ୍ରଥମ ଥର ପାଇଁ ଘିଅର ମାନ ପରୀକ୍ଷା ପାଇଁ ପଠାଯାଇଛି ।

ସେପଟେ ଘଟଣାକୁ ନେଇ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ । ଗତ ୪ ବର୍ଷ ଭିତରେ ତିରୁପୁତି ଲଡ଼ୁ ପାଇଁ ଘିଅ ଯୋଗାଉଥିବା ସଂସ୍ଥାଙ୍କ ତଦନ୍ତ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ତିରୁପତିରେ ଲଡ଼ୁ ମନ୍ଦିରର ରୋଷଶାଳାରେ ପ୍ରସ୍ତୁତ ହୁଏ । ଯାହାକୁ 'ପୋତୁ' କୁହାଯାଏ ।  ରିପୋର୍ଟ ଅନୁସାରେ,  ମନ୍ଦିରରେ ପ୍ରତ୍ୟେକ ଦିନ ପ୍ରାୟ ତିନି ଲକ୍ଷ ଲଡ଼ୁ ତିଆରି ହୁଏ । ଏହାକୁ ତିରୁମାଳା ତିରୁପତି ଦେବସ୍ଥାନ(ଟିଟିଡି) ପକ୍ଷରୁ ବିକ୍ରି କରାଯାଏ । ଲଡ଼ୁ ବିକ୍ରୟରୁ ଟିଟିଡି ବାର୍ଷିକ ୫୦୦ କୋଟି ଟଙ୍କା ଆୟ କରେ ।  ୩୦୦ ବର୍ଷରୁ ଅଧିକ ସମୟ ହେଲା ତିରୁପତିରେ ଲଡୁ ପ୍ରସାଦ ଭାବେ ଦିଆଯାଉଛି ।  ଏବେ ଲଡୁରେ ମାଛ ତେଲ, ଘୁଷୁରୀ ଓ ଗୋଚର୍ବି ମିଶାଯାଉଥିବା ନେଇ ରିପୋର୍ଟ ଆସିବା ପରେ ମନ୍ଦିର ପ୍ରସାସନ ଏହାକୁ ଗୁରୁତ୍ବର ସହ ନେଇଛି ।  ଘିଅର ମାନ ଯାଞ୍ଚ ପାଇଁ ୭୫ ଲକ୍ଷ ଟଙ୍କାରେ ଏକ ମେସିନ କିଣିବାକୁ ନିଷ୍ପତ୍ତି ନେଇଥିବା ମନ୍ଦିର ଟ୍ରଷ୍ଟ କହିଛି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ  କରାଯିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।

ତିରୁପତି ମନ୍ଦିରକୁ ୪ଟି ସଂସ୍ଥା ‘ଏଆର ଡାଏରୀ’, ‘କ୍ରିପାରାମ ଡାଏରୀ’, ‘ବୈଷ୍ଣବୀ’, ‘ଶ୍ରୀ ପ୍ରୟାଗ ମିଲ୍କ’ରୁ ଘିଅ ଆସିଥାଏ । ‘ଏଆର ଡାଏରୀ’ ପଠାଇଥିବା ୪ଟି ଘିଅ ଟାଙ୍କିରେ ମାନ ଖରାପ ଥିବା ଜଣାପଡିଛି ।  ଅପମିଶ୍ରଣ କରାଯାଉଥିବା ରିପୋର୍ଟ ଆସିବା ପରେ ଘିଅର ମାନ ଖରାପ ଥିଲେ ସମ୍ପୃକ୍ତ ସଂସ୍ଥାକୁ ବ୍ଲାକଲିଷ୍ଟ କରିବାକୁ ଚେତାବନୀ  ଦେଇଛି ତିରୁପତି ମନ୍ଦିର ଟ୍ରଷ୍ଟ ।