କନକବ୍ୟୁରୋ : ଦୀର୍ଘ ଦିନ ଧରି ଚକମା ଦେଇ ବୁଲୁଥିବା ବାଘୁଣୀ ଜିନ୍ନତ ଟ୍ରାଙ୍କୁଲାଇଜ ହେବା ପରେ ଆଲିପୁର ଚିଡ଼ିଆଖାନାରେ ରଖାଯାଇଛି । ଆଲିପୁର ଚିଡ଼ିଆଖାନାରୁ ଜିନ୍ନତର ପ୍ରଥମ ଭିଜୁଆଲ ସାମନାକୁ ଆସିଛି । ତାର ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ନଜର ରଖାଯାଇଛି । କିଛି ସମୟ ପରେ ବାଘୁଣୀ ଜିନ୍ନତକୁ ପୁଣି ଶିମିଳିପାଳ ଫେରାଇ ଅଣାଯିବାର ସମସ୍ତ ବ୍ୟବସ୍ଥା କରାଯିବ ।
ବାରମ୍ବାର ଚକମା ଦେବା ପରେ ସୋମବାର ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନବିଭାଗର ସ୍ବତନ୍ତ୍ର ଟିମ୍ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଥିଲା ବାଘୁଣୀ । ପଶ୍ଚିମବଙ୍ଗର ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତକୁ ଗତକାଲି ଟ୍ରାଙ୍କୁଲାଇଜ୍ କରାଯାଇଥିଲା ।
ଏହାପରେ ତାକୁ ଆଲିପୁର ଛିଡ଼ିଆଖାନାରେ ରଖାଯାଇଛି । ତାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । ଖୁବଶୀଘ୍ର ତାକୁ ଶିମିଳିପାଳ ଅଣାଯିବ । ୮ ତାରିଖରେ ଶିମିଳିପାଳ ଛାଡି ବାଘୁଣି ପ୍ରଥମେ ଝାଡ଼ଖଣ୍ଡରେ ପ୍ରବେଶ କରିଥିଲା । ଏହାପରେ ପୁଣି ପଶ୍ଚିମବଙ୍ଗ ସୀମାରେ ପଶିଥିଲା। ଫଳରେ ତିନି ରାଜ୍ୟର ବନବିଭାଗ ବାଘୁଣି ଜିନ୍ନତକୁ ଧରିବାକୁ ମିଳିତ ଭାବେ ଉଦ୍ୟମ ଜାରି ରଖିଥିଲେ ।
ଶିମିଳିପାଳରୁ ବାହାରି ସୂବର୍ଣ୍ଣରେଖା ନଦୀ ପହଁରି ପ୍ରଥମେ ଝାରଖଣ୍ଡ ଆଉ ପରେ ପଶ୍ଚିମବଙ୍ଗ ପହଞ୍ଚିଥିଲା ଜିନ୍ନତ। ୨୨ ଦିନ ଧରି ଜିନ୍ନତକୁ କାବୁ କରିବାକୁ ନାକେଦମ୍ ହୋଇଥିଲା ବନବିଭାଗ।