କନକ ବ୍ୟୁରୋ: ଧରା ଦେଉନି ବାଘୁଣୀ ଜୀନ୍ନତ୍ । ନାକେଦମ ହେଲେଣି ଦୁଇ ରାଜ୍ୟର ବନବିଭାଗ କର୍ମଚାରୀ । ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ପଳାଇଥିବା ବାଘୁଣୀ ଜୀନ୍ନତ୍‌କୁ ଓଡ଼ିଶା ଫେରାଇ ଆଣିବାକୁ ନାକେଦମ୍ ହେଲେଣି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ । ଜୀନ୍ନତ୍ ଏବେ ବାନ୍ଦୱାନ ନିକଟସ୍ଥ ରାଇକା ପାହାଡର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି । ସ୍ଥିତି ଏମିତି ହେଲାଣି ଯେ ପଶ୍ଚିମବଙ୍ଗର ପୁରୁଲିଆ ବାନ୍ଦୱାନ ନିକଟକବର୍ତୀ ଗାଁରେ ସ୍କୁଲ, କଲେଜ, ହୋଟେଲ ଓ ରିସର୍ଟ ଇତ୍ୟାଦି ସବୁକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି ।

Advertisment

ଏଥିସହ ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳକୁ ଆସିବାକୁ ବାରଣ ମଧ୍ୟ କରାଯାଇଛି । ସେଠାରୁ ଅନ୍ୟତ୍ର ସ୍ଥାନ ପରିବର୍ତ୍ତନ କୁ ନଜରରେ ରଖି ବାଘୁଣୀର ଚଲାପଥ ଅଞ୍ଚଳରେ ଜନସାଧାରଣଙ୍କ ଯାତାୟାତ ଉପରେ ବି ରୋକ୍ ଲଗାଇଛି ସ୍ଥାନୀୟ ପ୍ରଶାସନ । ଏପଟେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଯାଇ ପୁରୁଲିଆର ବାନ୍ଦୱାନ ରାଇକା ପାହାଡ ନିକଟରେ ଡେରା ପକାଇଛନ୍ତି । ସେପଟେ ଓଡ଼ିଶା ବନ ବିଭାଗ ଏନେଇ ସଜାଗ ରହିଥିବା ବେଳେ ଜିନ୍ନତ ଉପରେ ଟ୍ରାକ ଜାରି ରହିଛି, ଏହାକୁ ମନିଟରିଂ କରାଯାଉଛି । ଖୁବଶୀଘ୍ର ତାକୁ ଶିମିଳିପାଳକୁ ଫେରାଇ ଅଣାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।