କନକ ବ୍ୟୁରୋ : ଧାରା ୩୭୦ ଉଚ୍ଛେଦ ହେବା ପରେ ବଦଳିଛି ଜାମ୍ମୁ କାଶ୍ମୀରବାସୀଙ୍କ ଚିନ୍ତାଧାରା। ଗତ ୩୪ ବର୍ଷ ଧରି ବିଚ୍ଛିନ୍ନତାବାଦୀ ନେତାଙ୍କ ଭୋଟ ବଏକଟରେ ସାମିଲ ହୋଇ ମତ ସାବ୍ୟସ୍ଥ କରୁନଥିବା ଭୋଟର ଏଥର ବିପୁଳ ସଂଖ୍ୟାରେ ମତ ସାବ୍ୟସ୍ଥ କରିଛନ୍ତି। ଏପରିକି ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଶାନ୍ତିଶୃଙ୍ଖଳାର ସହିତ ଲୋକେ ଭୋଟ୍ ଦେଇଛନ୍ତି। କୌଣସି ସ୍ଥାନରେ ବିଶୃଙ୍ଖଳା ବା ଅପ୍ରୀତିକର ଘଟଣା ଘଟିନାହିଁ। ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୬୧% ମତଦାନ ହୋଇଛି। ଧାରା ୩୭୦କୁ ପୁଣି ଲାଗୁ କରିବା ପାଇଁ ଜାମ୍ମୁ କାଶ୍ମୀରର ସବୁ ଆଞ୍ଚଳିକ ଦଳ ଏଥର ‘ଭୋଟ’କୁ ପ୍ରମୁଖ ଅସ୍ତ୍ର କରିଛନ୍ତି।  ଏହାରି ଭିତରେ ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ଜାମ୍ମୁ କାଶ୍ମୀରରକୁ ତିନି ପରିବାର ନିଜ ଅକ୍ତିଆରରେ ରଖିବାକୁ ନିଜର ରାଜନୈତିକ ଏଜେଣ୍ଡା ଚଳାଇବାକୁ ଚାହୁଁଥିବା କହିଛନ୍ତି ମୋଦୀ।  

Advertisment

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ଚାଲୁଥିବା ଅଞ୍ଚଳ ପୁଲୱାମା, ଅନନ୍ତନାଗ, କୁଲଗାମ, ସୋଫିଆନରେ ରେକର୍ଡ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଇନ୍ଦରୱାଲରେ ସବୁଠୁ ଅଧିକ ୮୦.୦୬%, କୁଲଗାମରେ ୫୯.୫୮%, ସୋଫିଆନରେ ୫୨.୦୬% ମତଦାନ ହୋଇଛି । ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟିଂ ହେବାର ଅଛି। ଏହା ପୂର୍ବରୁ ଗୁରୁବାର ସବୁ ଦଳ ଜୋରଦାର ପ୍ରଚାର କରିଛନ୍ତି । ପିଡିପି ନେତ୍ରୀ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ନିର୍ବାଚନୀ କ୍ୟାମ୍ପେନରେ ନ୍ୟାସନାଲ କନଫେରେନ୍ସ ଏବଂ କଂଗ୍ରେସ ମେଣ୍ଟକୁ ଟାର୍ଗେଟ କରିଛନ୍ତି । ଯିଏ ସରକାର ଗଢୁ ପିଡିପି ବିନା ସରକାର କରିପାରିବ ନାହିଁ ବୋଲି କହିଛନ୍ତି ମେହେବୁବା ମୁଫତି । ଯାହାର ଯବାବ ରଖି ଫଳାଫଳ ପାଇଁ ଅପେକ୍ଷା କରିବାକୁ ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା । 

ଏଥର ସରକାର ଗଢିବାରେ ଏନସି-କଂଗ୍ରେସ ମେଣ୍ଟ ସବୁଠୁ ଆଗରେ ରହିଛି। କିନ୍ତୁ ପିଡିପି ଓ ବିଜେପି ଅଙ୍କ ବଦଳାଇଦେବାର କ୍ଷମତା ମଧ୍ୟ ରଖୁଛନ୍ତି। ଅକ୍ଟୋବର ୮ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ହିଁ ଜଣାପଡିବ ଭୋଟର କାହା ଉପରେ ଭରସା କରିଛନ୍ତି