କନକ ବ୍ୟୁରୋ: ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ୱୋଡିଆ ଅପିଲ କରିଛି । ଥାଇଲାଣ୍ଡ ମଧ୍ୟ ଦେଇଛି ଆଲୋଚନା ପ୍ରସ୍ତାବ । ଏହା ମଧ୍ୟରେ ଯୁଦ୍ଧରେ ଦୁଇଦେଶର ୩୨ ଜଣରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଥାଇଲାଣ୍ଡ ଓ କାମ୍ୱୋଡିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ ଗୁରୁବାରଠାରୁ ଦକ୍ଷିଣ-ପୂର୍ବ ଏସିଆରେ ଦୁଇଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଲାଗିଥିବା ସଂଘର୍ଷରେ ଉଭୟ ଦେଶର ୩୨ ଜଣ ପ୍ରାଣ ହରାଇଲେଣି। ଥାଇଲାଣ୍ଡରେ ୧୯ ଓ କାମ୍ୱୋଡିଆରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଦେଶର ୧୩୦ରୁ ଅଧିକ ଆହତ ହୋଇଛନ୍ତି। ଥାଇଲାଣ୍ଡ ଯୁଦ୍ଧରେ ଆମେରିକାର ଏଫ୍-୧୬ ବ୍ୟବହାର କରୁଛି । ଦୁଇ ଦେଶ ନିଜର ସ୍ୱଦେଶୀ ଡ୍ରୋନ୍ଗୁଡ଼ିକୁ ନିୟୋଜିତ କରିଛନ୍ତି । ଯୁଦ୍ଧରେ ଭାରି ଅସ୍ତ୍ରଶସ୍ତ୍ର ଓ ତୋପ ବ୍ୟବହାର କରାଯାଉଛି । ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ଘରଛାଡ଼ି ପଳାଉଛନ୍ତି । ଏହାରି ମଧ୍ୟରେ ତୁରନ୍ତ ନିଃସର୍ତ୍ତ ଯୁଦ୍ଧବିରତି ପାଇଁ କାମ୍ୱୋଡିଆ ଅପିଲ୍ କରିଛି ।
ଜାତିସଂଘରେ ଅବସ୍ଥାପିତ କାମ୍ୱୋଡିଆ ପ୍ରତିନିଧି ଏହି ସୂଚନା ଦେଇଛନ୍ତି । ଥାଇଲାଣ୍ଡ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ମାଲେସିଆ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛି। ଗତକାଲି ଜାତିସଂଘ ମହାସଚିବ ମଧ୍ୟ ଦୁଇ ଦେଶ ମଧ୍ୟରେ ସଂଘର୍ଷ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ସଂଯମ ଆଚରଣ ପାଇଁ ଦୁଇଦେଶକୁ ପରାମର୍ଶ ଦିଆଯାଇଛି । ଆମେରିକା ଓ ଚୀନ ମଧ୍ୟ ଏହି ଯୁଦ୍ଧ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗିଛି ଏହି ଲଢ଼େଇ ।