କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଛି । ପାକିସ୍ତାନ ତା’ର ପରାଜୟକୁ ଲୁଚାଇବା ପାଇଁ ବଡ଼ ବଡ଼ ବାହାସ୍ଫୋଟ ମାରୁଛି । ଆଉ ଏହାରି ଭିତରେ ପାକିସ୍ତାନ ମୁହଁରୁ ସେହି ସତ ବାହାରିଯାଇଛି, ଯାହାକୁ ଦୀର୍ଘ ବର୍ଷ ହେଲା ଖାରଜ କରିଆସୁଛି । ୨୦୧୯ରେ ପୁଲୱାମାରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଖୋଦ୍ ପାକିସ୍ତାନର ଏୟାର ଭାଇସ ମାର୍ଶାଲଙ୍କ ମୁହଁରୁ ଏକଥା ବାହାରିଛି ।
ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର କୌଣସି ଭୂମିକା ନାହିଁ । ଏକଥା ବର୍ଷ ବର୍ଷ ଧରି କହିଆସୁଥିବା ପାକିସ୍ତାନର ମିଛ ଏବେ ଧରାପଡ଼ିଛି । ଖୋଦ୍ ପାକିସ୍ତାନ ଏୟାର ଭାଇସ ମାର୍ଶଲ ସ୍ବୀକାର କରିଛନ୍ତି ଯେ ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ରଣକୌଶଳ କାମ ଦେଇଥିଲା । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
‘ଯଦି ପାକିସ୍ତାନର ଜଳ, ସ୍ଥଳ, ଆକାଶ କିମ୍ବା ସାଧାରଣ ଲୋକଙ୍କ ଉପରକୁ କୌଣସି ବିପଦ ଆସିବ, ତାହାହେଲେ ସେଥିରେ କୌଣସି ସାଲିସ କରାଯିବ ନାହିଁ । ଏହାକୁ ଆଦୌ ଅଣଦେଖା କରାଯିବ ନାହିଁ । ଆମେ ଆମ ଦେଶ ପ୍ରତି ସର୍ବଦା ଋଣି । ସେନା ଉପରେ ପାକିସ୍ତାନବାସୀଙ୍କର ସର୍ବଦା ଗର୍ବ ଓ ବିଶ୍ବାସ ରହିଛି । ଯାହାକୁ ଆମେ କୌଣସି ପରିସ୍ଥିତିରେ ବଜାୟ ରଖିଆସିଛୁ । ଆମେ ପୁଲୱାମାରେ ନିଜ ଟାକ୍ଟିକାଲ ବ୍ରିଲିଆନ୍ସ ବା ରଣକୌଶଳ ପ୍ରତିଭା ମାଧ୍ୟମରେ ବାର୍ତ୍ତା ଦେବାକୁ ପ୍ରୟାସ କରିଛୁ । ଏବେ ଆମେ ଆମର ଅପରେସନ୍ ପ୍ରୋଗ୍ରେସ ଏବଂ ରଣନୀତି କୌଶଳ ପ୍ରଦର୍ଶନ କରିଛୁ। ସେମାନେ ଏହା ଉପରେ ଧ୍ୟାନ ଦେବା ଦରକାର ।’
୨୦୧୯ରେ ପୁଲୱାମାରେ ଜୈସ-ଏ-ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆକ୍ରମଣକୁ ନିନ୍ଦା କରିଥିଲେ । କିନ୍ତୁ ଆକ୍ରମଣ ପଛରେ ପାକିସ୍ତାନ ସେନାର ଭୂମିକାକୁ ଖଣ୍ଡନ କରିଥିଲେ । ମସୁଦ ଅଜହରର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହାସତ୍ତ୍ବେ ଭାରତର ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରମାଣ ମାଗିବାର ମିଛ ନାଟକ କରିଥିଲା ପାକିସ୍ତାନ । ପୁଲୱାମା ଆକ୍ରମଣ ଜବାବରେ ଭାରତ, ପିଏଓକେର ବାଲାକୋଟରେ ଥିବା ଜୈସ ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ୩୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିଲେ। ଏବେ ଭାରତ ‘ଅପରେସନ୍ ସିନ୍ଦୂର’ ଜରିଆରେ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ଆଉ ଭାରତୀୟ ସେନା ପିଓକେ ଓ ପାକିସ୍ତାନରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେଇଛନ୍ତି। ଆକ୍ରମଣରେ ମସୁଦ ପରିବାରର ୧୪ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଭାରତରେ ହୋଇଥିବା ପ୍ରତିଟି ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। କିନ୍ତୁ ଦୁନିଆ ଆଗରେ ବାରମ୍ବାର ମିଛ କହିବା ସହ ନିଜକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିଆସୁଛି ପାକିସ୍ତାନ।