କନକ ବ୍ୟୁରୋ: ବୁଲା କୁକୁର ଝୁଣି ମାରିଦେଲେ କୁନି ଝିଅକୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ ଫୁଫୁ ଗାଁରେ। ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଚାନ୍ଦିନୀ ନିଜ ଭାଇ ସହ ଘର ନିକଟରେ ଥିବା ପଡିଆକୁ ଖେଳିବାକୁ ଯାଇଥିଲେ ।  ସେହି ସମୟରେ ଚାରିରୁ ପାଞ୍ଚଟି ବୁଲା କୁକୁର ଆସି ପ୍ରଥମେ ଚାନ୍ଦିନୀକୁ ଆକ୍ରମଣ କରିଥିଲେ । ଭୟରେ ସେହି ସ୍ଥାନରୁ ଭାଇ ଦୌଡ଼ି ପଳେଇ ଆସି ଗାଁରେ ଖବର ଦେଇଥିଲା ।

Advertisment

ଗାଁ ଲୋକ ବୁଲା କୁକୁରକୁ ଗୋଡାଇବା ସହ କୁନି ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କୁମୁଲିପୁଟ ମେଡ଼ିକାଲକୁ ନେଇଥିଲେ । ହସ୍ପିଟାଲରେ ଡାକ୍ତର ଚାନ୍ଦିନୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପୂରା ପରିବାରକୁ ସ୍ତବ୍ଧ କରିଦେଇଛି। କୁନି ଝିଅକୁ ହରାଇ ପୂରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। କାହା ଆଖିରୁ ଲୁହ ଶୁଖୁନି ।  ରାଜଧାନୀରେ କୁକୁର ବନ୍ଧ୍ୟାକରଣ ନେଇ ବିଏମସିର ନିଷ୍ପତ୍ତି ।

ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ। ଦୀର୍ଘ ଦିନ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଥିଲା । ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦ ଟୀକା ସରିଛି । ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ରାଜଧାନୀରେ ବନ୍ଦ ରହିଥିଲା ବନ୍ଧ୍ୟାକରଣ । ଆତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲା କିନ୍ତୁ ବନ୍ଧ୍ୟାକରଣ ବନ୍ଦ ଥିଲା । ବର୍ତ୍ତମାନ କେସ୍‌ ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ। ଏନେଇ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ରାଜଧାନୀରେ କୁକୁରଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବା ବେଳେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଦିନ ହେଉ କି ରାତି ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଛନ୍ତି କୁକୁର । ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷର ୧୦ ମାସ ମଧ୍ୟରେ ୨ ଲକ୍ଷ ୪୩ ହଜାର ୫୬୫ ଲୋକ କୁକୁର କାମୁଡାର ଶିକାର ହୋଇଥିବା କହିଛନ୍ତି ମନ୍ତ୍ରୀ ।