କନକ ବ୍ୟୁରୋ : ଅଧିକ ଟଙ୍କା ପାଇବା ଆଶାରେ ଅନଲାଇନ୍ ଟ୍ରେଡିଂକୁ ଆପଣାଉଛନ୍ତି ଅଧିକାଂଶ ଯୁବବର୍ଗ । ହେଲେ ଏହି ଅନଲାଇନ୍ ଟ୍ରେଡିଂ ଯେ ଜୀବନ ନେଇପାରେ, ତାହା ହୁଏତ ସହଜରେ ଗ୍ରହଣ କରିବା ମୁସକିଲ । ଅନଲାଇନ୍ ଟ୍ରେଡିଂର ଭୟଙ୍କର ପରିଣତିର ଦୃଶ୍ୟ ଆସିଛି ଭୁବନେଶ୍ୱରରୁ । ଲକ୍ଷଲକ୍ଷ ଟଙ୍କା ହରାଇବା ପରେ ଜୀବନ ହାରିଛନ୍ତି ଭୁବନେଶ୍ୱର ଭିଏସଏସ ନଗରର ମୃତ୍ୟୁଞ୍ଜୟ ମାଣିକ । ମଙ୍ଗଳବାର ରାତିରେ କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ପଡ଼ିଛନ୍ତି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।

Advertisment

ଅନଲାଇନରେ ଟ୍ରେଡିଂ କରି ୧୦ଲକ୍ଷ ଟଙ୍କାର କ୍ଷତି ସହିଥିଲେ ମୃତ୍ୟୁଞ୍ଜୟ । ହେଲେ ଦୁଇଦିନ ତଳେ ୪ଲକ୍ଷ ଟଙ୍କାର କ୍ଷତି ସହିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଆତ୍ମହତ୍ୟା ପୂର୍ବରୁ ନିଜ ଭଉଣୀକୁ ଏକ ମେସେଜ କରି ଲେଖିଥିଲେ, ‘ମୋତେ ଆଉ ଖୋଜିବନି। ମୁଁ ହାରିଗଲି ।’

ଟ୍ରେଡିଂରେ କ୍ଷତି ଯୋଗୁଁ ଗତ ଅଗଷ୍ଟ ମାସରେ ଯୁବ ବ୍ୟବସାୟୀ ତୁଷାର ଭଟ କଟକ ତ୍ରିଶୁଳିଆ ବ୍ରିଜ ଉପରେ କାର ରଖି କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ । ବିଶେଷଜ୍ଞଙ୍କ ମତରେ, ଟ୍ରେଡିଂ ବେଳେ ଟଙ୍କା ହରାଇବାର ଭୟ ରହିଥିବାରୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାନ୍ତି ।

ସେପଟେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଚିନ୍ତା ବଢ଼ାଇଛି । ମଙ୍ଗଳବାର କଟକ ନୟାସଡକର ଅନୁପ ଅଗ୍ରୱାଲ ଓ ମୃତ୍ୟୁଞ୍ଜୟ ମାଣିକ ମହାନଦୀକୁ ଡେଇଁ ଥିବା ବେଳେ ପୂର୍ବରୁ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା କରିଥିବା ତିନିଜଣଙ୍କର ଏପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିନାହିଁ ।