କନକ ବ୍ୟୁରୋ : ନୂଆବର୍ଷ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବିଶେଷକରି ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସହ ପାନୀୟ ଜଳ ଯୋଗାଣ ପାଇଁ ସାଧାରଣରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇଦେବାକୁ ଦାବି କରାଯାଇଛି । ଅନ୍ୟପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ବ୍ୟବସ୍ଥାକୁ ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଯାଇଛି ।
ଇଂରାଜୀ ନୂଆବର୍ଷରେ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କୁ ସୁଅ ଛୁଟୁଛି । ଲକ୍ଷାଧିକ ଭକ୍ତଙ୍କର ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଡ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ଜିଲ୍ଲା ପ୍ରଶାସନ ମଧ୍ୟ ଭକ୍ତଙ୍କ ସୁରୁକ୍ଷାକୁ ଗୁରୁତ୍ବ ଦେଇଛି ।
ନୂଆବର୍ଷରେ ସହଜରେ ହେବ ଶ୍ରୀଜିଉଙ୍କ ଦର୍ଶନ
- ମଙ୍ଗଳବାର ଓ ବୁଧବାର କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ
- ଶ୍ରୀଜିଉଙ୍କ ଦର୍ଶନ ପରେ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ
- ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
- ଜନଗହଳିପୂର୍ଣ୍ଣ ସ୍ଥାନରେ ରହିବେ ଆଣ୍ଟି ସ୍ନାଚିଂ ଟିମ୍
- ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ ରହିପାରିବନି ୪ ଚକିଆ ଯାନ
- ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ ସହ ସହରର ପ୍ରମୁଖ ସ୍ଥାନ ଉପରେ ରହିବ ସିସିଟିଭି ନଜର
ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ନୂଆବର୍ଷରୁ ଆରମ୍ଭ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଯାଇଛି ।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପ୍ରସ୍ତୁତି ଶେଷ କରିଛି । ସ୍ବତନ୍ତ୍ର ବ୍ୟବସ୍ଥା କରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କୁ ପୋଲିସ ସହାୟତାରେ ଶ୍ରୀମନ୍ଦିରକୁ ଭିତରକୁ ଛଡାଯାଉଛି । ସେହିଭଳି ଭକ୍ତଙ୍କୁ ପର୍ଯ୍ୟାପ୍ତ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାରିକେଡ ଭିତରେ କୁଲର ଓ ଫଙ୍ଖା ଲଗାଯାଇଛି । ଏସବୁ ଭିତରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଦର୍ଶନ ବ୍ୟବସ୍ଥା କିଭଳି ସୁବ୍ୟବସ୍ଥିତ ଢଙ୍ଗରେ ହେବ ସେନେଇ ସେବାୟତଙ୍କ ସହଯୋଗ ଲୋଡିଛି ପ୍ରଶାସନ । କାଳିଆ ଦର୍ଶନ ସହ ନୂଆବର୍ଷକୁ ସ୍ବାଗତ କରିବାକୁ ଅପେକ୍ଷାରେ ଲକ୍ଷାଧିକ ଭକ୍ତ । ତେଣୁ ଶ୍ରୀକ୍ଷେତ୍ରରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ।