କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରକୁ ବର୍ଷେ, ଚତୁର୍ଦ୍ଦିଗ ରାମ ମୟ । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରଛି ବର୍ଷେ। ରାମନଗରୀରେ ଉତ୍ସବର ମାହୋଲ। ସକାଳୁ ସକାଳୁ ଅଯୋଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ନଜର ଆସିଛି । ତେବେ ଏହି ଅବସରରେ ଅଯୋଧ୍ୟାରେ ବିଶାଳ ଆୟୋଜନ କରାଯାଇଛି। ଆଜି ଠାରୁ ଆସନ୍ତା ୧୩ ଜାନୁଆରୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବ । ଦେଶର କୋଣ ଅନୁକୋଣରୁ ରାମ ଭକ୍ତ ମାନେ ଆସି ଏହି କାର୍ଯ୍ୟକ୍ରମ ଯୋଗଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୪ ଜାନୁୟାରୀ ୨୨ ତଥା ପୌଷ ମାସ ଶୁକ୍ଳ ପକ୍ଷ ଦ୍ୱାଦଶ ତିଥିରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।
ସମାନ ଭାବରେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୌଷ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ଚଳିତ ବର୍ଷ ଜାନୁଆରୀ ୧୧ ଅର୍ଥାତ୍ ଆଜି ପଡୁଥିବାରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଏକ ବର୍ଷ ପୁରିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାମ ମନ୍ଦିର ଯାଇ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଅଯୋଧ୍ୟାରେ ବର୍ଷପୂର୍ତିର ଉତ୍ସବ ୩ ଦିନ ଯାଏଁ ଚାଲିବ । ଅଯୋଧ୍ୟାରେ ରାମ ମନ୍ଦିରକୁ ୫୦ କ୍ବିଂଟାଲ ଫୁଲରେ ସଜା ହୋଇଛି । ପ୍ରଭୁ ଶ୍ରୀରାମଙ୍କୁ ୫୬ ପ୍ରକାରର ଭୋଗ ଲଗାଯାଇଛି । ଏହା ଭକ୍ତଙ୍କ ମଧ୍ୟରେ ବଂଟାଯାଇଛି । ଏହାଛଡା ଦୀପ ଉତ୍ସବ ବି ଆୟୋଜିତ ହୋଇଛି ।