କନକ ବ୍ୟୁରୋ : ମଣ୍ଡିରେ ଭିଜୁଛି ଚାଷୀଙ୍କ ଧାନ। ଟାର୍ଗେଟ ପୂରଣ ହୋଇଗଲା ହେଲେ ଚାଷୀଙ୍କ ଧାନ କିଣି ପାରିଲେନି ସରକାର । ଟୋକେନ ପାଇ ମଣ୍ଡିକୁ ଧାନ ଆଣି ଏକ ମାସରୁ ଅଧିକ ଦିନ ଧରି ଧାନ ଜଗି ବସିଛନ୍ତି ଚାଷୀ । କାଳବୈଶାଖୀ ବର୍ଷାରେ ଗଜା ହୋଇଗଲା ଧାନ । ସରକାର ଧାନ ନକିଣିଲେ ମଣ୍ଡିରେ ଆଗରେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଦେଲେ ଧମକ। ସରକାର ବୋନସ୍ ସହିତ ୩୧ ଶହ ଟଙ୍କାରେ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣିବେ ଘୋଷଣା କଲେ । ଚାଷୀ ମାନେ ମଧ୍ୟ ସରକାରଙ୍କୁ ଧାନ ବିକିବେ ବୋଲି ଆଶା ରଖିଥିଲେ । ଟୋକେନ ପାଇ ମଣ୍ଡିକୁ ଧାନ ଆଣିଲେ, ମାତ୍ର ମଣ୍ଡିରେ ଧାନ ପହଞ୍ଚିବା ପରେ ସୋସାଇଟି ପକ୍ଷରୁ କୁହାଗଲା ଟାର୍ଗେଟ ପୂରଣ ହୋଇଛି ଆଉ ଧାନ କିଣା ହେବ ନାହିଁ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ନିଜର ବର୍ଷକର ପରିଶ୍ରମକୁ ଏକ ମାସରୁ ଅଧିକ ସମୟ ଧରି ମଣ୍ଡିରେ ଜଗି ରହିଛନ୍ତି । ମାର୍ଚ୍ଚ ୩୧ ତାରିଖ ଖରିଫ ଧାନ କିଣାର ଶେଷ ତାରିଖ ହୋଇଥିବାରୁ କାଳବୈଶାଖୀ ବର୍ଷାରେ ଭିଜି ଗଜା ହୋଇଥିବା ଧାନକୁ କେମିତି ବିକିବେ ଚିନ୍ତାରେ ପଡିଛନ୍ତି ।