କନକବ୍ୟୁରୋ: ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ମନ୍ଦିର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୂଜକ । ବଲାଙ୍ଗିର -ବରଗଡ଼ ୨୬ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି ।

Advertisment

ଟ୍ୟାଙ୍କର ଧକ୍କାରେ ଶନିଦେବଙ୍କ ମନ୍ଦିର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବଲାଙ୍ଗିର ସହର ଜାତୀୟ ରାଜପଥ କଡ଼ରେ ଥିବା ଲୋକନାଥ ମହାଦେବ ମନ୍ଦିର ସମ୍ମୁଖରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଭାରିଯାନ ଧକ୍କାରେ ଶନିଦେବଙ୍କ ମନ୍ଦିର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ହନୁମାନ ମନ୍ଦିର ମଧ୍ୟ ଆଂଶିକ ନଷ୍ଟ ହୋଇଛି । 

ଦୁର୍ଘଟଣା ଘଟାଇଥିବା ଟ୍ରକଟି ଝାରସୁଗୁଡ଼ାରୁ ଲାଞ୍ଜିଗଡ଼ ଅଭିମୁଖେ ଯାଉଥିଲା । ଦ୍ରୁତଗତିରେ ଆସିବା ସହ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।  

ଟ୍ରକରେ ବେଦାନ୍ତ କମ୍ପାନୀର ଆଲୁମିନା ପାଉଡର ରହିଥିବା କୁହାଯାଉଛି । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।  ଡ୍ରାଇଭରକୁ ପ୍ରଥମେ ହସ୍ପିଟାଲ୍ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଥାନାକୁ ଅଣାଯାଇଥିବା ଜଣାପଡିଛି ।

ତେବେ ଆଜି ସଂକ୍ରାନ୍ତି ଥିବାରୁ ଭୋରରୁ ମହାଦେବ ମନ୍ଦିର ଖୋଲିବା ପରେ ଆଳତି କରି ଶନି ମନ୍ଦିରକୁ ଆସିବା ସମୟରେ ପୂଜକ ଏକ ଜୋର ଆବାଜ ଶୁଣିଥିଲେ । ଆଉ ଏଭଳି ହଠାତ୍ ଦୁର୍ଘଟଣା ଘଟିଥିବା ଦେଖିଥିଲେ ।

ସେହିପରି କିଛି ଭକ୍ତ ମଧ୍ୟ ରହିଥିଲେ ଯେଉଁମାନେ ମହାଦେବ ମନ୍ଦିରରେ ଥିଲେ ଓ ସେମାନଙ୍କ ମଧ୍ୟ ଜୀବନ ବଞ୍ଚିଯାଇଛି।