ପାଣି ପାଇଁ ରାସ୍ତାରୋକ। ସାନଖେମୁଣ୍ଡି ବ୍ଲକ କଉଡିଆ ଗାଁରେ ହାଣ୍ଡି ମାଠିଆ ଧରି ହିଞ୍ଜିଳି-ଜଗନ୍ନାଥପୁର ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଗାଁରେ ନଳକୂପ ନଥିବା ବେଳେ ୧୫୦୦ ପରିବାର ପାଇଁ ରହିଛି ମାତ୍ର ଗୋଟିଏ କୂଅ । ଜନପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ଅଭିଯୋଗ ପରେ ବି ଫଳ ଶୂନ, ପ୍ରତିବାଦରେ ହାଣ୍ଡି ମାଠିଆ ଧରି ପ୍ରତିବାଦକୁ ଓହ୍ଲାଇଛନ୍ତି ଶହ ଶହ ମହିଳା । ସେପଟେ କାମାକ୍ଷାନଗର ଗାଙ୍ଗିଯୋଡି ଗାଁରେ ଜଳଯୋଗାଣ ପ୍ରକଳ୍ପ ଅଧାରେ ଛାଡ଼ି ଠିକାଦାର ଛୁ, ବର୍ଷେ ହେଲାଣି ସମସ୍ୟା ଭୋଗୁଛନ୍ତି ୭୦ରୁ ଉର୍ଦ୍ଧ୍ବ ପରିବାର ।

Advertisment

ନଦୀ, ପୋଖରୀରୁ ପାଣି ପିଉଛନ୍ତି ଗ୍ରାମବାସୀ
ଗ୍ରୀଷ୍ମରୁତୁ ଆରମ୍ଭ ହୋଇନି ଉପକୂଳରୁ ଉପାନ୍ତ ସବୁଠି ଦେଖାଗଲାଣି ଜଳକଷ୍ଟର ଦୃଶ୍ୟ । ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ପୁରୀ ଚନ୍ଦନପୁରର ଐତିହ୍ୟ ଗ୍ରାମ ରଘୁରାଜପୁରରେ ଗୋଟିଏ ମାତ୍ର ନଳକୂପ ରହିଥିଲେ ବି ଏହା ବ୍ୟବହାର ଅନୁପଯୋଗୀ । ଗାଁ ଠାରୁ ଦୁଇ କିଲୋମିଟର ଦୂରକୁ ଯାଇ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ୨୦୧୫ ମସିହାରେ ଗାଁର ବିକାଶ ପାଇଁ ୧୦ କୋଟିର ଅନୁଦାନ ଆସିଥିଲା; ବିଦ୍ୟୁତ, ପରିମଳ ଓ ପାନୀୟ ଜଳ ଯୋଗାଣର ବିକାଶ ପାଇଁ । ଏହି ଅର୍ଥ କେଉଁବାଟେ ଖର୍ଚ୍ଚ ହେଲା ସଭିଙ୍କୁ ଅଜଣା । ସେପଟେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଗାଁରେ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ । ଏତେ ସବୁ ପରେ ବି କାହିଁକି ଯୋଜନାର ସଫଳ ରୂପାୟନ ହୋଇପାରୁନି ? କାହିଁକି ଲୋକ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି ? ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।