କନକ ବ୍ୟୁରୋ :  ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ କଡ଼ରେ ଥିବା ମହୁ ଫାର୍ମ ଯେତିକି ସୁନ୍ଦର, ସେତିକି ଲାଭଦାୟକ । ଚାରିଆଡ଼େ ସୋରିଷ ଫୁଲର କ୍ଷେତ । ସୋରିଷ ଫୁଲରୁ ମହୁ ସଂଗ୍ରହ କରୁଛନ୍ତି ମହୁମାଛି । ଫସଲ ସହ ମହୁଚାଷ କରି ଡବଲ ରୋଜଗାର କରୁଛନ୍ତି ଅମିୟ । ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ଅଞ୍ଚଳର ଅମିୟ କୁମାର ଜେନା । ଯୁକ୍ତଦୁଇ ପାସ୍ ପରେ ପାଠପଢ଼ାରେ ଡୋରି  ବନ୍ଧା ହୋଇଥିଲା । କିଛି ବ୍ୟବସାୟ କରିବାକୁ ଆଶା ରଖିଥିଲେ । ମହୁଚାଷରୁ ତାଙ୍କୁ ମିଳିଥିଲା ସଫଳତା । ଜାତୀୟ ରାଜପଥ ପାର୍ଶ୍ୱରେ ନିଜର ଏକ ବଗିଚାରେ ବାକ୍ସ ପ୍ରତି ୫ ହଜାର ଟଙ୍କା ଖର୍ଚ୍ଚ କରି ମୋଟ ୧୦୦ଟି ମହୁବାକ୍ସ ବସାଇଛନ୍ତି ଅମିୟ । ପ୍ରତିବାକ୍ସରେ ଏକ ହଜାରରୁ ଦୁଇ ହଜାର ପର୍ୟ୍ୟନ୍ତ ମହୁମାଛି ଅଛନ୍ତି । ବର୍ଷକୁ ଗୋଟିଏ ବାକ୍ସରୁ ୧୦ ହଜାରରୁ ଅଧିକ ଟଙ୍କା  ଅମିୟ ରୋଜଗାର କରୁଛନ୍ତି । 

Advertisment

ମହୁଚାଷ ପାଇଁ ସ୍ୱତନ୍ତ୍ର ଜମି  ଆବଶ୍ୟକ ନାହିଁ । ଯେକୌଣସି ତୈଳବୀଜ ଓ ଫୁଲଜାତୀୟ ଫସଲ କ୍ଷେତର ଚତୁପାର୍ଶ୍ଵରେ ମହୁଚାଷ କରିହୁଏ । ମହୁଚାଷରେ ଥରେ ଖର୍ଚ୍ଚ କଲେ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ରୋଜଗାର ମିଳିଥାଏ । ବିଭିନ୍ନ ସଂସ୍ଥା ବା କିଛି ଅଭିଜ୍ଞ ଲୋକଙ୍କଠାରୁ ତାଲିମ ନେଇ ମହୁଚାଷରେ ଜଣେ ସଫଳ ହୋଇପାରିବ। ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇହେବ।  ମହୁବାକ୍ସର ରକ୍ଷଣାବେକ୍ଷଣ, ଦଳ ବିଭାଜନ, ରୋଗ ନିରୂପଣ ଏବଂ ବିଭିନ୍ନ କୀଟଙ୍କଠାରୁ ମହୁମାଛିଙ୍କୁ ସୁରକ୍ଷିତ ରଖିବା ଆଦି କାର୍ଯ୍ୟରେ ଅନ୍ୟମାନଙ୍କୁ ନିୟୋଜିତ କରିଛନ୍ତି ଅମିୟ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହୁଚାଷ ହେଉଥିବା ସ୍ଥାନରେ ଭଲ ଫସଲ ହୋଇଥାଏ । ଯାହାଦ୍ବାରା ଅମିୟ ବେଶ୍ ଭଲ ରୋଜଗାର କରୁଛନ୍ତି । ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, କୋରାପୁଟ ଭଳି ରାଜ୍ୟର ପ୍ରମୁଖ ସହରକୁ ମହୁ ସହିତ ଏହି ଚାଷରେ ବ୍ୟବହୃତ ଉପକରଣ ଯୋଗାଉଛନ୍ତି ଅମିୟ ।