କନକ ବ୍ୟୁରୋ: ଅପରେସନ ସିନ୍ଦୂରର ସଫଳତାକୁ ରାଜନୈତିକ ଦୃଷ୍ଟିରୁ ଉପଯୋଗ କରିବାକୁ ବିଜେପି ଆଗେଇ ଆସିଛି । ଏଥିପାଇଁ ୧୦ଦିନ ଧରି ଦେଶର ସବୁ ଭାଗରେ ତ୍ରିରଙ୍ଗାଯାତ୍ରା ଆୟୋଜନ କରିଛି । ଏଥିରେ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଛନ୍ତି ।

Advertisment

ଅପରେସନ ସିନ୍ଦୂରରେ ଭାରତର ସଫଳତା ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ବକୁ ହାଇଲାଇଟ କରିବାକୁ ବିଜେପି ଚେଷ୍ଟା କରିଛି । ତ୍ରିରଙ୍ଗା ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନକୁ କଡ଼ା ଜବାବକୁ ମଧ୍ୟ ଗୁରୁତ୍ବ ଦିଆଯିବ । ଏହାଛଡା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଭୂମିକାକୁ ଭାରତର ପ୍ରତ୍ୟାଖାନ ମଧ୍ୟ ଏଥିରେ ସ୍ଥାନ ଦିଆଯିବ ।

ଆତଙ୍କୀ ଆକ୍ରମଣ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଯାହାକୁ ବିରୋଧୀ ମଧ୍ୟ ସ୍ବୀକାର କରୁଛନ୍ତି । ଅନ୍ୟପଟେ ତତ୍କାଳୀନ ୟୁପିଏ ସରକାର ପୂର୍ବ ଆତଙ୍କୀ ଆକ୍ରମଣ ଘଟଣାକୁ କିଭଳି ମୁକାବିଲା କରିଥିଲେ, କ’ଣ ଥିଲା ସରକାରଙ୍କ ନେତୃତ୍ବ ଓ  ଆଭିମୁଖ୍ୟ ସେଗୁଡିକୁ ମଧ୍ୟ ତ୍ରିରଙ୍ଗାଯାତ୍ରାରେ ତର୍ଜମା କରିବାକୁ ପ୍ରସ୍ତୁତ ବିଜେପି । ଏହାଫଳରେ ଆତଙ୍କୀ ଘଟଣାରେ ୟୁପିଏ ଓ ଏନଡିଏ ସରକାରଙ୍କ ତୁଳାନାତ୍ମକ ଚିତ୍ର ଦେଖାଇବାକୁ ବିଜେପି ଚାହୁଛି ।

ଚଳିତବର୍ଷ ଶେଷ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ଅପରେସନ ସିନ୍ଦୂରରେ ଭାରତର ବୀର ଯବାନଙ୍କ ସଫଳତାର ସମସ୍ତ ଶ୍ରେୟ ବିଜେପି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେବାକୁ ଚାହୁଛି । ଯାହାକି ବିହାର ନିର୍ବାଚନରେ ଏନଡିଏ ମେଣ୍ଟକୁ ରାଜନୈତିକ ଫାଇଦା ମିଳିବ ବୋଲି ଦଳ ଆଶା ରଖିଛି ।