କନକ ବ୍ୟୁରୋ : ହସୁଛି ପଡ଼ିଶା ମାଟି, ଆଉ ଶୁଖିଲା ପଡ଼ିଛି ଓଡ଼ିଶା ଭୁଇଁ । ମାତ୍ର ପାଦେ ପାଦେର ଅନ୍ତର । ଏ ଦୃଶ୍ୟ ହେଉଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଂଚଳର । ଗୋଟିଏ ରାସ୍ତା ୨ଟି ରାଜ୍ୟକୁ ସଂଯୋଗ କରୁଛି । ହେଲେ ଏଠାକାର ଚାଷ ପ୍ରଣାଳି ଓ ସେଠାର ଚାଷ ପ୍ରଣାଳି ସମ୍ପୂର୍ଣ୍ଣ ଭିନ୍ନ । ଉନ୍ନତମାନର ଚାଷ କରିବା ପାଇଁ ସେଠାକାର ଚାଷୀଙ୍କୁ ସବୁ ପ୍ରକାର ପ୍ରେତ୍ସାହନ ମିଳୁଥିବା କହିଛନ୍ତି ଚାଷୀ । ହେଲେ ଏଠାରେ କେନାଲ ଅଛି ହେଲେ ପାଣି ନାହିଁ । ପୁଣି କେଉଁଠି ପାଣି ଅଭାବରୁ ଗଛ ମରିଗଲାଣି । ଟମାଟ, ବାଇଗଣ, କଲରା, ଲଙ୍କା ଭଳି ନିତିଦିନିଆ ଫସଲ କରି ସେଠାକାର ଚାଷୀ ପରିବାର ପ୍ରତିପୋଷଣ କରୁଛନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ସେହି ଅନୁପାତରେ ଆମ ରାଜ୍ୟର ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲେ ସେମାନେ ମଧ୍ୟ ଉପକୃତ ହୋଇପାନ୍ତେ ।  

Advertisment

  ପଡ଼ୋଶୀ ରାଜ୍ୟରେ ଅମଳ ହେଉଥିବା ଫସଲ ଓଡ଼ିଶାରେ ବିକ୍ରି ହେଉଛି । ସେମାନେ ଲାଭବାନ ହେଉଥିବା ବେଳେ ଓଡ଼ିଶା ଚାଷୀଙ୍କୁ ପ୍ରୋତ୍ସାହନ ଅଭାବରୁ ସେମାନଙ୍କର ଉନ୍ନତି ହୋଇପାରୁନାହିଁ । ଜଳସେଚନ ହେଉ ଅବା ଫସଲ ପାଇଁ ଉପଯୁକ୍ତ ସାର, ବିହନ ଚାଷୀଙ୍କ ପାଖରେ ନାହିଁ । ଉନ୍ନତ ପ୍ରଣାଳିରେ ଚାଷ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ମଧ୍ୟ ଚାଷୀଙ୍କ ପାଖରେ ନାହିଁ । ତେଣୁ ଲାଭବାନ ହୋଇପାରୁନାହାନ୍ତି ଓଡ଼ିଶା ଚାଷୀ । ଏଠାରେ ପନିପରିବା ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ନାହିଁ । ତେଣୁ ଚାଷୀ ମାନେ କ୍ଷତି ସହିବାକୁ ପଡ଼ୁଛି । ମାର୍କେଟିଂ ବ୍ୟବସ୍ଥା ନାହିଁ କି ପ୍ରକ୍ରିୟାକରଣର ବ୍ୟବସ୍ଥା ନାହିଁ । ତେଣୁ ଚାଷୀ ମାନେ ଲାଭବାନ ହୋଇପାରୁନାହାନ୍ତି । 

ଓଡ଼ିଶାର ଜଳବାୟୁ ଚାଷ ପାଇଁ ବେଶ ଉପଯୋଗୀ । କିନ୍ତୁ ଏଠାକାର ଚାଷୀ ଅବହେଳିତ ଅବସ୍ଥାରେ ଥିବା ବେଳେ ଟମାଟୋ, ବାଇଗଣ ଚାଷ କରି ଛତିଶଗଡ଼ର ଚାଷୀ ଲକ୍ଷପତି ।