କନକ ବ୍ୟୁରୋ: ବିଛଣାରେ ପଡ଼ିଛି କଲେଜ ପଢୁଆ ପୁଅ। ଅସୁସ୍ଥତା ଯୋଗୁଁ ଯାଇପାରୁନି କଲେଜ। ଗଜପତି ମୋହନା ବ୍ଲକ କୁମ୍ଭିମେରା ଗାଁର ସାନୁ ମଳିକ। ହିଲ୍ ଟପ୍ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢୁଛନ୍ତି । ବାପା ଅଭିରାମ ମଳିକ ଅତ୍ୟନ୍ତ ଗରିବ ଶ୍ରେଣୀ। ମୁଲମଜୁରି ଲାଗି ପୁଅକୁ ପାଠ ପଢ଼ାଉଛନ୍ତି। ପୁଅ ଭଲ ମଣିଷଟିଏ କରିବାକୁ ଆଶା ରଖିଛନ୍ତି । ହେଲେ ଏବେ ପୁଅ ପାଠପଢ଼ା ଛାଡ଼ି ବିଛଣାରେ ପଡ଼ିଥିବା ବେଳେ ବାପାଙ୍କ ସ୍ଵପ୍ନ ହଜିଯିବାକୁ ବସିଛି। 

ସବୁ କିଛି ଠିକ୍ ଠାକ୍ ଥିଲା। ସାନୁ କଲେଜ ଯାଉଥିଲେ। ହେଲେ ମାସେ ତଳେ ଆରମ୍ଭ ହୋଇଥିବା ପେଟ ବ୍ୟଥା ସାନୁଙ୍କ ଜୀବନରେ ଆଣିଛି ବଡ଼ ପରିବର୍ତନ। ପେଟରେ ଯନ୍ତ୍ରଣା ହେବାରୁ ପୁଅକୁ ମୋହନାରୁ ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ଡାକ୍ତରଖାନାକୁ ନେଇଥିଲେ ବାପା। ଅପରେସନ ମଧ୍ୟ ହୋଇଛି। ତଥାପି ଯନ୍ତ୍ରଣା କମୁନି କି ସାନୁ ସୁସ୍ଥ ହୋଇନାହାନ୍ତି । ଦୁର୍ବଳ ଅବସ୍ଥାରେ ଶେଜରେ ପଡ଼ିରହିଛନ୍ତି।

ଅଜଣା ରୋଗ ଜଣେ ଛାତ୍ରଙ୍କ ସ୍ୱପ୍ନକୁ ସମାଧି ଦେବାକୁ ବସିଛି। ପୁଅର ଯନ୍ତ୍ରଣା ଦେଖି ବାପା-ମାଆ ଦୁହେଁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।