କନକ ବ୍ୟୁରୋ : ସକାଳେ ସେ ଜିମରେ  ବୁହାନ୍ତି ଝାଳ । ଏହା ପରେ ବଦଳିଯାଏ ତାଙ୍କ  ଚରିତ୍ର । ସେ ପାଲଟିଯାଆନ୍ତି ଅଟୋ ଚାଳକ । ରାଉରକେଲାର ଗଳିକନ୍ଦିରୁ ଯାତ୍ରୀଙ୍କୁ ନେଇ ଛାଡ଼ିଦିଅନ୍ତି ଠିକଣା  ସ୍ଥଳରେ । ପିଲାଟି ଦିନରୁ ଦାରିଦ୍ର‌୍ୟର ଚାବୁକ୍‌  ପାହାର, ତରୁଣ ବୟସରେ ବାପାଙ୍କ ଦେହାନ୍ତ  ଭଳି ଦାରୁଣ ଦୁଃଖକୁ ହଜମ କରି ସେ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଚଢିଚାଲିଛନ୍ତି ।  ଆଉ ଏବେ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ  ପଦକ ଜିତି ସୁନାମ ବଢ଼ାଇଛନ୍ତି ସୁନ୍ଦରଗଡ଼ର ସୁନାପୁଅ ସଚ୍ଚିନ୍ଦ୍ର ।    

Advertisment

ସଚ୍ଚିନ୍ଦ୍ର କେର୍କେଟା, ବୟସ ମାତ୍ର ୨୩ । ଅଟୋ ଚାଳକରୁ ସ୍ଵର୍ଣ ବିଜେତା କ୍ଷ ଗୋଟିଏ ପଟେ ପରିବାର ପ୍ରତିପୋଷଣ କରିବା, ସେପଟେ କିନ୍ତୁ ନିଜ ସ୍ୱପ୍ନକୁ ସାକାର କରିବାକୁ ଅହରହ ଚେଷ୍ଟା । ବାପାଙ୍କ ଦେହାନ୍ତ  ପରେନ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଉପରେ ସବୁ ଦାଇତ୍ୱ । ଅଟୋ ଗଡ଼ିଲେ ଘରେ ଚୁଲି ଜଳେ । କୁଆଁରମୁଣ୍ଡାର ଏକ ଘରୋଇ  ବୈଷୟିକ ଶିକ୍ଷାନୁଷ୍ଠାନରେ ଇଲେକ୍ଟ୍ରିକାଲରେ ଇଞ୍ଜିନିୟରିଂରେ ସେ ଡିପ୍ଲୋମା କରୁଥିଲେ, କିନ୍ତୁ ୨୦୧୭ରେ ପରିବାରକୁ ଘେରିଗଲା ଦୁଃଖର  କଳାବାଦଲ । ବାପା ଅସୁସ୍ଥ ହେଲେ ଓ ଆରପାରିକୁ ଚାଲିଗଲେ । ଏହାପରେ ପରିବାରର ଆର୍ଥିକ ସ୍ଥିତି ଆହୁରି ସାଂଘାତିକ ହୋଇଗଲା, ଫଳରେ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧି ସେ ଘରକୁ ଫେରିଲେ । ଆଉ ପରିବାର ଚଳାଇବାକୁ, ସେ ଧରିଲେ ବାପା  ଛାଡ଼ିଯାଇଥିବା ସ୍ମୃତିସନ୍ତକ ଅଟୋର ହ୍ୟାଣ୍ଡେଲ୍‌ । ଆର୍ଥିକ  ଅନଟନ ଭିତରେ କିନ୍ତୁ ସଚ୍ଚିନ୍ଦ୍ର ହାର୍ ମାନିନାହାନ୍ତି । ଭାରତୀୟ ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ  ଶକ୍ତି ଉତ୍ତୋଳନ ପ୍ରତିଯୋଗିତାର ଡେଡ୍‌  ଲିଫ୍ଟିଙ୍ଗରେ ଚାମ୍ପିଅନ୍‌ ହେବା ସହ ସୁନ୍ଦରଗଡ଼  ପାଇଁ ଆଣିଛନ୍ତି ଗୌରବ । 

 ଅଟୋ ଚଳାଇବା ବେଳେ ,ସୁନ୍ଦରଗଡ଼ର ଏକ ଜିମ୍‌ ତାଙ୍କ  ମନରେ ନୂଆ ଆଶା ସଞ୍ଚାର କରିଥିଲା । ପିଲାମାନଙ୍କୁ ଜିମରେ ଅଭ୍ୟାସ କରିବା ଦେଖି ସେ ବି ଜିମ୍‌ ଯିବାକୁ ମନସ୍ଥ କଲେ । ୨୦୨୦ରୁ ଏଠି ଅଭ୍ୟାସ ଆରମ୍ଭ କଲେ, ଜିମରେ ମାସିକ ୫୦୦  ଟଙ୍କା ଦେବାକୁ ପଡ଼ୁଥିଲା । ଜିମରେ ତାଙ୍କ  ଅଭ୍ୟାସ ଦେଖି,  ଟ୍ରେନର ତାଙ୍କୁ  ଉତ୍ସାହିତ କରିବା ସହ ସହ ମାସିକ ଟଙ୍କା ନେଲେ  ନାହିଁ  । ୨୦୨୦ରେ ଝାରସୁଗୁଡ଼ାଠାରେ ଅନୁଷ୍ଠିତ  ପଶ୍ଚିମ ଓଡ଼ିଶା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ତାଙ୍କୁ ସଫଳତା ଆଣିଦେଲା । ୫୩ କିଲୋ  ଜୁନିୟର ବର୍ଗରେ ସେ ସ୍ୱର୍ଣ୍ଣ ପଦକ  ହାସଲ କଲେ । ଏହାପରେ ସଚ୍ଚିନ୍ଦ୍ର ପାୱାର  ଲିଫ୍ଟିଙ୍ଗକୁ କ୍ୟାରିୟର କରିବାକୁ ମନସ୍ଥ କଲେ । ସେବେଠାରୁ ପ୍ରତିଦିନ ସକାଳୁ ୨ରୁ ୩ ଘଂଟା ସେ ଜିମରେ ଝାଳ ବୁହାନ୍ତି ଆଉ ତାପରେ ସେ ବାହାରି ପଡ଼ନ୍ତି ଅଟୋ ଧରି ରୋଜଗାର ଆଶାରେ । 

କଥାରେ ଅଛି,‘ଇଚ୍ଛା ଶକ୍ତି  ଆଗରେ ସମସ୍ତ ପ୍ରତିବନ୍ଧକ ହାରମାନେ । ସଚ୍ଚିନ୍ଦ୍ରଙ୍କ କ୍ଷେତ୍ରରେ ଠିକ୍ ସେମିତି ଘଟିଛି । ସେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀତାରେ ସଫଳତା ହାସଲ କରିଚାଲିଛନ୍ତି । ଅନେକ ସମୟରେ ପ୍ରତିଯୋଗୀତାରେ ଭାଗନେବାକୁ ତାଙ୍କ ପାଖରେ ଅର୍ଥ ନଥାଏ । ହେଲେ ତାଙ୍କୁ ସମସ୍ତେ ସହଯୋଗ ଯୋଗାଇ ଦିଅନ୍ତି । ଆଗକୁ ଆନ୍ତର୍ଜାତିକ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେବାକୁ ସଚ୍ଚିନ୍ଦ୍ର ଲକ୍ଷ ରଖିଥିବା ବେଳେ, ଯଦି ସରକାର ସହଯୋଗ ର ହାତ ବଢ଼ାନ୍ତି ତାହାଲେ ସଚ୍ଚିନ୍ଦ୍ର ଦେଶ ପାଇଁ ଗୌରବ ଆଣିପାରନ୍ତେ ।