କନକ ବ୍ୟୁରୋ: ରାଜନୈତିକ ଇଚ୍ଛାଶକ୍ତି ହେଉ ବା ପ୍ରଶାସନିକ ଉଦାସୀନତା। ରାୟଗଡ଼ା ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଲାଗି ରହିଛି ସମସ୍ୟା। ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ସହ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ଘୋର ଅଭାବ ରହିଛି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
- ଗୁଣୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ଗହନ କଥା
- ଭିତ୍ତିଭୂମି ସବଳ, ସେବା ଦୁର୍ବଳ
- ୪୯ ସ୍ଥାନରେ ଅଛନ୍ତି ୧୬ ଡାକ୍ତର
ରାୟଗଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ଗୁଣୁପୁର। ଶିଳ୍ପ ବିହୀନ ଓ ଆଦିବାସୀ ଅଞ୍ଚଳ। ଶିକ୍ଷା, ବାଣିଜ୍ୟ ଓ ଗମନାଗମନ କ୍ଷେତ୍ରରେ କିଛି ମାତ୍ରାରେ ସୁଧାର ଆସିଛି। କିନ୍ତୁ ସ୍ୱାସ୍ଥ୍ୟସେବା ଢେର ପଛରେ। ଯାହାର ଜ୍ୱଳନ୍ତ ଉଦାହରଣ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ। ୧୯୫୯ରେ ୨୦ଟି ଶଯ୍ୟାକୁ ନେଇ ଆରମ୍ଭ ହୋଇଥିଲା ଗୁଣୁପୁର ସ୍ୱାସ୍ଥ୍ୟକେନ୍ଦ୍ର। ୨୦୦୨ରେ ୭୦ ଶଯ୍ୟାକୁ ଉନ୍ନୀତ କରି ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ମିଳିଛି। କିନ୍ତୁ ସ୍ୱାସ୍ଥ୍ୟ ସେବାରେ ପୁରା ବିଗିଡ଼ି ଯାଇଛି। 'ଆମ ହସପିଟାଲ ଯୋଜନା'ରେ ରୂପାନ୍ତରୀକରଣ ହୋଇ ବାହାରୁ ଚକାଚକ ଦେଖାଯାଉଛି। ଭିତରେ ରୋଗୀ ସେବା ପୁରା ବିପର୍ଯ୍ୟସ୍ତ ହୋଇପଡିଛି। ୪୯ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୬। ବିଶେଷଜ୍ଞ ଡାକ୍ତର ପଦବୀ ସହ ଅନ୍ୟାନ୍ୟ କର୍ମଚାରୀ ପଦବୀ ଖାଲି ପଡ଼ିଛି। ୮୩ ସ୍ଥାନରେ ରହିଛନ୍ତି ୩୧ଜଣ।
ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ୫ଟି ବ୍ଲକର ଲୋକ। ପ୍ରତ୍ୟକ ଦିନ ୩୦୦ରୁ ଅଧିକ ରୋଗୀ ଆସିଥାନ୍ତି। କିନ୍ତୁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀଙ୍କୁ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଶ୍ରୀକାକୁଲମ୍କୁ ସ୍ଥାନାନ୍ତର କରାଯାଏ।
- ସାରା ରାଜ୍ୟରେ ଡାକ୍ତର ମରୁଡ଼ି
- ଖାଲି ପଡ଼ିଛି ୫ହଜାର ଡାକ୍ତର ପଦବୀ
- ନାହାନ୍ତି ୧୧ ଶହ ୧୪ ବିଶେଷଜ୍ଞ ଡାକ୍ତର
କେବଳ ଏହି ଡାକ୍ତରଖାନା ନୁହେଁ, ସାରା ରାଜ୍ୟରେ ଡାକ୍ତର ଅଭାବ ରହିଛି। ୩୦ଟି ଜିଲ୍ଲାର ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।