ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିବା ସହ ଗୃହରେ ରାଜ୍ୟ ସରକାରଙ୍କ ୮ମାସର ସଫଳତା ବଖାଣିଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ଓଡ଼ିଆ ଅସ୍ମିତାର ନାରା ଦେଇ ଶାସନକୁ ଆସିଥିବା ରାଜ୍ୟ ସରକାର ବିଗତ ମାସ ଗୁଡ଼ିକରେ ହାତକୁ ନେଇଛନ୍ତି ବିଭିନ୍ନ ଲୋକାଭିମୁଖି ଯୋଜନା ।
ଗରିବ, ଯୁବକ, ଅନ୍ନଦାତା, ନାରୀଶକ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟରେ ଉନ୍ନତି ସରକାରର ମୂଳ ମନ୍ତ୍ର । ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର, ରାଜ୍ୟର କଳା, ସ୍ଥାପତ୍ୟ, ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପରମ୍ପରାର ସଂରକ୍ଷଣ, ସୁରକ୍ଷା ଓ ଉନ୍ନତି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ରାଜ୍ୟପାଳ ।
୨୦୩୬ ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି । ୨୦୪୭ରେ ବିକଶିତ ଭାରତ ଗଠନ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି କହିଛନ୍ତି ରାଜ୍ୟପାଳ । ଫୋକସରେ ରହିଛି ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ଧାନ କିଣାରେ ୮୦୦ ଟଙ୍କାର ବୋନସ ସହାୟତା ପ୍ରଦାନ କରିଛନ୍ତି । ସେହିପରି ‘ସୁଭଦ୍ରା’ ଯୋଜନାରେ କୋଟିଏରୁ ଉର୍ଦ୍ଧ୍ବ ମହିଳା ଲାଭବାନ ହୋଇସାରିଥିବା ବେଳେ ନାରୀ ସଶକ୍ତିକରଣକୁ ଏହା ବଳ ଦେଉଥିବା କହିଛନ୍ତି ରାଜ୍ୟପାଳ । ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଦୁଇଟି ପର୍ୟ୍ୟାୟରେ ଏପ୍ରିଲ୍ ୫ ତାରିଖ ପର୍ୟ୍ୟନ୍ତ ଚାଲିବ ଗୃହକାର୍ୟ୍ୟ । ଆସନ୍ତା ୧୭ରେ ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ସରକାର ।