କନକ ବ୍ୟୁରୋ: ଆକାଶରୁ ଝରୁଥାଏ ଶ୍ରାବଣର ଧାରା, ଆଉ ମନରେ ଭରି ରହିଥାଏ ଭକ୍ତିର ଅସରନ୍ତି ଭାବନା । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ବିଭିନ୍ନ ଶୈବ ପିଠରେ ଲାଗିଛି କାଉଡିଆଙ୍କ ଗହଳି । କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କଠି ଜଳାଭିଷେକ କରିବା ପାଇଁ ରାତିଠୁ ଲାଗିଛି କାଉଡିଆଙ୍କ ଧାଡି । ଦୁର ଦୁରାନ୍ତରୁ ଛୁଟି ଆସିଛନ୍ତି ଭକ୍ତ ଧବଳେଶ୍ବରଙ୍କଠି ଜଳାଭିଷେକ କରିବା ପାଇଁ । ବିଶ୍ବାସ ରହିଛି ଧବଳେଶ୍ବର ବାବା ପ୍ରତେକ୍ଷ ଭାବେ ସେଠି ବିରାଜମାନ । କଳା ବଳଦକୁ ଧଳା କରିଥବାରୁ ତାଙ୍କ ନା ଧବଳେଶ୍ବର ବୋଲି କିମ୍ବଦନ୍ତି କୁହେ । ବିଶ୍ବାସ ରହିଛି ବାବାଙ୍କୁ ଡାକିଲେ ଓ’ କରନ୍ତି ।  ଦୁଃଖ,କଷ୍ଟ ହରଣ କରିବା ସହ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବାବା ଧବଳେଶ୍ବର । ଧବଳେଶ୍ବର ନାଁରେ ବିଖ୍ୟାତ ବାବା । ବାବାଙ୍କ ମହିମା ଅଗାଢ ।  ଆସନ୍ତୁ ଜାଣିବା ବାବା ଧବଳେଶ୍ବରଙ୍କ ମହିମା ଏବଂ କିପରି ମନ୍ଦିର ହୋଇଥିଲା ସୃଷ୍ଟି  ..   

Advertisment

ଓଡ଼ିଶା "ମନ୍ଦିରମାଳିନୀ ଭୂମି" ଭାବରେ ସୁପରିଚିତ, ଏହାର କୋଣ ଅନୁକୋଣରେ ଅନେକ ପ୍ରାଚୀନ ଓ ପ୍ରସିଦ୍ଧ ଦେବଦେବୀଙ୍କ ପୀଠ ରହିଛି । ଏହି ପବିତ୍ର ପୀଠମାନଙ୍କ ମଧ୍ୟରୁ କଟକ ଜିଲ୍ଲାର ଆଠଗଡ଼ ଅନ୍ତର୍ଗତ ମହାନଦୀ ଗର୍ଭରେ ଥିବା ଏକ ଦ୍ୱୀପରେ ଅବସ୍ଥିତ ବାବା ଧବଳେଶ୍ୱରଙ୍କ ମନ୍ଦିର ଅନ୍ୟତମ । ଏହା କେବଳ ଏକ ପୂଜାସ୍ଥଳୀ ନୁହେଁ, ବରଂ ଏହା ସହ ଜଡିତ କିମ୍ବଦନ୍ତୀ, ଐତିହ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ।  ପଦ୍ମପୁରାଣ ବର୍ଣ୍ଣିତ ବାବା ଧବଳେଶ୍ଵରଙ୍କ ମନ୍ଦିର ୧୧ଶହ ଖ୍ରୀଷ୍ଟାଦ୍ଦରେ ତତ୍କାଳିନ ରାଜା ଶ୍ରୀଶ୍ରୀ ଜଜାତୀ କେଶରୀ ଙ୍କ ଦ୍ଵାରା ଭିତି ପ୍ରସ୍ତର ସ୍ଥାପନ କରାଯାଇ ମନ୍ଦିର ସ୍ଥାପନ କରାଯାଇଥିଲା ।  

ବାବା ଧବଳେଶ୍ୱରଙ୍କ ନାମକରଣ ପଛରେ ଏକ ରୋଚକ ପୌରାଣିକ କାହାଣୀ ରହିଛି । କିମ୍ବଦନ୍ତୀ ଅନୁଯାୟୀ, ତ୍ରେତୟା ଯୁଗରେ ଏହି ସ୍ଥାନରେ ଜଣେ ଚୋର ରହୁଥିଲା । ଥରେ ସେ ଏକ ଗାଈ ଚୋରି କରି ଏହି ଦ୍ୱୀପରେ ଆତ୍ମଗୋପନ କରିଥିଲା । ଗ୍ରାମବାସୀମାନେ ତାକୁ ଖୋଜି ଖୋଜି ସେଠାରେ ପହଞ୍ଚିବାରୁ ଚୋର ଜଣକ ନିଜକୁ ବଞ୍ଚାଇବା ପାଇଁ ଭଗବାନ ଶିବଙ୍କୁ ଆକୁଳ ପ୍ରାର୍ଥନା କଲା । ଭକ୍ତର ଆକୁଳ ଡାକ ଶୁଣି ଭଗବାନ ଶିବ ଏକ ସନ୍ନ୍ୟାସୀ ବେଶରେ ସେଠାରେ ପ୍ରକଟ ହେଲେ । ଗ୍ରାମବାସୀମାନେ ଚୋରକୁ ଦେଖି ତାକୁ ଧରିବାକୁ ଉଦ୍ୟତ ହେବା କ୍ଷଣି, ସନ୍ନ୍ୟାସୀରୂପୀ ଶିବ ଚୋରକୁ ଏକ କଳା ବଳଦରେ ପରିଣତ କରିଦେଲେ । ଗ୍ରାମବାସୀମାନେ ଯେତେବେଳେ ପଚାରିଲେ, ସେମାନେ ଏକ ଶ୍ୱେତ ବର୍ଣ୍ଣର ବଳଦକୁ ଚୋର ସହିତ ଦେଖିଥିଲେ ବୋଲି କହିଲେ । ଭଗବାନ ଶିବ ନିଜ ଯୋଗ ବଳରେ କଳା ବଳଦକୁ  ଧଳା ବଳଦରେ ପରିବର୍ତ୍ତନ କରିଦେଲେ । ଏହି ଚମତ୍କାର ଦେଖି ଗ୍ରାମବାସୀମାନେ ସେହି ସ୍ଥାନ ଛାଡି ଚାଲିଗଲେ ଏବଂ ଚୋରଟିର ଜୀବନ ରକ୍ଷା ହେଲା ।

ସେହି ଦିନଠାରୁ  ଚୋରଟି ଭଗବାନ ଶିବଙ୍କର ପରମ ଭକ୍ତ ପାଲଟିଗଲା ଏବଂ ସେହି ସ୍ଥାନରେ ମହାଦେବଙ୍କୁ ପୂଜା କରିବା ଆରମ୍ଭ କଲା । ଧବଳ ବା ଶ୍ୱେତ ବର୍ଣ୍ଣର ବଳଦ ରୂପରେ ଭଗବାନ ଶିବ ଦର୍ଶନ ଦେଇଥିବାରୁ, ଏଠାରେ ପୂଜିତ ଶିବଲିଙ୍ଗ "ଧବଳେଶ୍ୱର" ନାମରେ ପ୍ରସିଦ୍ଧ ହେଲେ, ଯାହାର ଅର୍ଥ ହେଉଛି "ଧବଳ ବା ଶ୍ୱେତ ବର୍ଣ୍ଣର ଈଶ୍ୱର" ।

ମନ୍ଦିରର ଇତିହାସ ଓ ସ୍ଥାପତ୍ୟ

ଧବଳେଶ୍ୱର ମନ୍ଦିରର ନିର୍ମାଣ ଶୈଳୀ ଓଡ଼ିଶାର ପାରମ୍ପରିକ ମନ୍ଦିର ସ୍ଥାପତ୍ୟ କଳାର ଏକ ସୁନ୍ଦର ଉଦାହରଣ । ପ୍ରାଚୀନ କାଳରେ ଏହି ମନ୍ଦିରଟି ଛୋଟ ଆକାରରେ ଥିଲେ ମଧ୍ୟ, ପରବର୍ତ୍ତୀ ସମୟରେ ଆଠଗଡ଼ର ରାଜାଙ୍କ ଦ୍ୱାରା ଏହାର ପୁନରୁଦ୍ଧାର କରାଯାଇଥିଲା । ମନ୍ଦିରଟି ମୁଖ୍ୟତଃ ବିମାନ ଓ ଜଗମୋହନକୁ ନେଇ ଗଠିତ । ଗର୍ଭଗୃହରେ ପୂଜା ପାଉଥିବା ଶିବଲିଙ୍ଗ ସ୍ୱୟମ୍ଭୁ ଏବଂ ଏହା ଭୂମିଠାରୁ ସାମାନ୍ୟ ତଳେ ଅବସ୍ଥିତ ।ମହାନଦୀର ଦ୍ୱୀପ ଉପରେ ଅବସ୍ଥିତ ହୋଇଥିବାରୁ ଏହି ପୀଠକୁ ଯିବା ପାଇଁ ପୂର୍ବରୁ କେବଳ ନୌକା ହିଁ ଏକମାତ୍ର ମାଧ୍ୟମ ଥିଲା । ମାତ୍ର ୨୦୦୬ ମସିହାରେ ଏଠାରେ ଏକ ଝୁଲା ପୋଲର ନିର୍ମାଣ କରାଯାଇଥିଲା, ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ଯାତାୟାତକୁ ସୁଗମ କରିଥିଲା  । କିନ୍ତୁ ଝୁଲା ପୋଲର ଯାନ୍ତ୍ରୀକ ତୁଟି ହେବାରୁ ପୋଲଟି ସମ୍ପୁର୍ଣ୍ ବନ୍ଦ କରିଦିଆଯାଇ ଏବେ କଂକ୍ରିଟ ପୋଲ ହେବାରୁ ଶ୍ରଦ୍ଧାଳୁ ମାନେ ସହଜରେ ଧବଳେଶ୍ଵରଙ୍କ ପାଖରେ ପହଞ୍ଚି ପାରୁଛନ୍ତି। ଧାରା ଶ୍ରାବଣ ମାସରେ ବାବାଙ୍କ ମସ୍ତକ ଜଳଲାଗୀ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ । ସମସ୍ତ ମାନସିକ ପୁରଣ ହୋଇଥାଏ ବୋଲି  ବିଶ୍ୱାସ ରହିଛି.. .