କନକ ବ୍ୟୁରୋ : ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ବଢିଲା ବାତ୍ୟା ଆଶଙ୍କା, ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇ ଆଗକୁ ବଢ଼ୁଥିବାବେଳେ ପଛକୁ ଦାନାବାନ୍ଧିଲାଣି ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୪ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପଟି ଅଧିକ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଓଡ଼ିଶାରେ ବଡ଼ ବର୍ଷା ହେବାର ଆଶଙ୍କା କରାଯାଉଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଅବପାତରେ ପରିଣତ ହେବ । ଏହା ଉତ୍ତର ତାମିଲନାଡ଼ୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ । 

Advertisment

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସ୍ଥିତି ନେଇ ରାଜ୍ୟ ସରକାର ପ୍ରସ୍ତୁତ : ରାଜସ୍ବ ମନ୍ତ୍ରୀ

ପରବର୍ତ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ । ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ଆସୁଥିବାରୁ ସତର୍କ କରିଛନ୍ତି ସରକାର । ଯେ କୌଣସି ପରିସ୍ଥିତିର ମୁକାବିଲ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଆଉ ଏକ ତଥ୍ୟ ଏହି ବାତ୍ୟା ଚିନ୍ତାକୁ ଦୁଇଗୁଣିତ କରିଦେଇଛି । ୨୬ ବର୍ଷ ତଳେ ୧୯୯୯ ମସିହାରେ ସମାନ ଭାବେ ଦୁଇ ଦୁଇଟି ଲଘୁଚାପ ଆସିଥିଲା । ପ୍ରଥମ ଲଘୁଚାପ ଗୋପାଳପୁରରେ ସ୍ଥଳଭାଗ ଛୁଇଁଥିଲା । ଦ୍ବିତୀୟଟି ମହାବାତ୍ୟାର ରୂପ ନେଇ ଜଗତସିଂହପୁର ଏରସମାରେ ସ୍ଥଳଭାଗ ଛୁଇଁଥିଲା । ଦ୍ବିତୀୟ ବାତ୍ୟାଟି ମଧ୍ୟ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିଲା । ଯାହା ବଳ ଗୋଟାଇ ଓଡ଼ିଶା ମୁହାଁ ହୋଇଥିଲା । ତେବେ ବାତ୍ୟାକୁ ନେଇ ଏବେ କିଛି କହିବା ଉଚିତ୍ ହେବନି ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି ।

ମୌସୁମୀ ଫେରିବା ପରେ ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ଲଘୁଚାପ, ବଢ଼ିଲା ବାତ୍ୟା ଭୟ, ୨୫ ରୁ ଓଡ଼ିଶାରେ ହୋଇପାରେ ବଡ଼ ବର୍ଷା

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବିଜୁଳି, ଘଡଘଡି ଓ ଝଟକା ପବନ ପାଇଁ ଚାଷୀଙ୍କୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଗତକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଳା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା । ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ମଧ୍ୟ ସୂଚନା ମିଳିଥିଲା । ତେବେ ଆଜି ଓ ୨୩ ତାରିଖରେ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ହୋଇପାରେ । ୨୪ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି । 

ଓଡ଼ିଶା ଏତେ ବାତ୍ୟା ଦେଖିଲାଣି । ଅନେକ କ୍ଷତି ବି ସହିଲାଣି । ତେଣୁ ବତ୍ୟା ନାଁ ଶୁଣିଲେ ଲୋକଙ୍କ ଭିତରେ ଛାନିଆ ସୃଷ୍ଟି ହେଉଛି । ଖାସକରି ତଳି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କାରଣ ବାତ୍ୟା ଆସିଲେ ସେମାନେ ହିଁ ସବୁଠୁ ଅଧିକ ପ୍ରଭାବିତ ହୁଅନ୍ତି ।