କନକ ବ୍ୟୁରୋ : ବଡଚଣା ବ୍ଲକ ଶୁଖୁଆପଡା ଗାଁ । ପାଖାପାଖି ୬୦ଟି ପରିବାରର ୬ଶହରୁ ଉର୍ଦ୍ଧ କାରିଗର ପଥର ଶିଳ୍ପକୁ କୌଳିକ ବୃତ୍ତିଭାବେ ଆପଣାଇଛନ୍ତି । ଗାଁ ଭିତରକୁ ପଶିବା ମାତ୍ରେ ଶୁଭେ ଶିଳ୍ପୀର ନିହାଣ ମୁଗୁରର ଠକଠାକ୍ ଶଦ୍ଧ । ମୁଣ୍ଡଝାଳ ତୁଣ୍ଡରେ ମାରି ଶିଳ୍ପୀ ନିର୍ଜିବ ପଥର ଦେହରେ ଫୁଟାଉଥାଏ ଅନନ୍ୟ କଳା କାରିଗରି । ଏହି ଗାଁ କାରିଗରଙ୍କର କଳାକୃତି ଦେଖିଲେ ଯେକେହି ଘଡିଏ ଅଟକି ଯିବ । ବଡବଡ ପଥରକୁ ବିଭିନ୍ନ ଆକୃତିରେ କାଟି ସେଥିରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ଯଥା ଚକି, ଶିଳ, ଶିଳପୁଆ, ଚଉଁରା, ପଥରର ବାସନ, ଦୀପଦାନୀ ସହ ବିଭିନ୍ନ କିସମର ମୂର୍ତ୍ତି ନିର୍ମାଣ କରିବାରେ ବେଶ ସିଦ୍ଧହସ୍ତ ଏହି ଗାଁର ପଥର କାରିଗର । ସମୟ ବଦଳିବା ସହିତ ନିର୍ମାଣ ଶୈଳୀମଧ୍ୟ ବଦଳିଛି । ଯାହାକୁ ଆପଣାଇଛନ୍ତି ଶୁଖୁଆପଡା ଗାଁର ପଥର କାରିଗର । ବିଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହାର କରି ନିର୍ମାଣ କାର୍ଯ୍ୟକୁ ସହଜ କରିପାରିଛନ୍ତି । ମାତ୍ର ଉପଯୁକ୍ତ କଂଚାମାଲର ଅଭାବ ଓ ବଜାର ଚାହିଦା ଅଭାବ ଏବେ ସେମାନଙ୍କ ଆଗରେ ପ୍ରମୁଖ ସମସ୍ୟା ହୋଇ ଛିଡା ହୋଇଛି ।
ଦିନଥିଲା ଏହି ଗାଁର ପଥର କାରିଗରମାନେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରର ଜୟ ବିଜୟ ମୂର୍ତ୍ତି ନିର୍ମାଣ କରିବା ସହ ଉତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ହାତୀ ନିର୍ମାଣ କରି ଜାତୀୟ ସ୍ତରରେ ଗାଁ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ପୂର୍ବ ସରକାର ଶୁଖୁଆପଡା ଗାଁକୁ ଶିଳ୍ପଗ୍ରାମ ବା କ୍ରାଫ୍ଟ ଭିଲେଜ ଭାବେ ଘୋଷଣା କରିଥିଲେ । ମାତ୍ର ତାହା କେବଳ ଘୋଷଣାରେ ରହିଯାଇଛି । ଏହି ଗାଁରେ ଥିବା ୬ଶହ ପଥର କାରିଗରଙ୍କ ମଧ୍ୟରୁ କାମଧନ୍ଦା ଅଭାବରୁ ପାଖାପାଖି ତିନିଶହ କାରିଗର ସୁଦୂର ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଂଜାବ ଭଳି ରାଜ୍ୟରେ ଯାଇ ପଥର କାମ କରୁଛନ୍ତି । ନିଜ ହାତର ଯାଦୁ ପାଇଁ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କାରିଗରଙ୍କ ପାଇଁ କଂଚାମାଲ ପ୍ରମୁଖ ସମସ୍ୟା ପାଲଟିଛି ।
ଶୁଖୁଆପଡା ଶିଳ୍ପୀ ଗାଁର ମୌଳିକ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଲେ କାରିଗରଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇଯାରନ୍ତା ।