କନକ ବ୍ୟୁରୋ: ଚୋରି ହୋଇଯାଇଥିବା ଛୁଆକୁ ଫେରିପାଇଲେ ଦୃଷ୍ଟିବାଧିତ ମା' । କୁନି ପୁଅକୁ କୋଳରେ ପାଇବା ପରେ ଖୁସିରେ ଆତ୍ମହରା ହୋଇଛି ମା' । ପୁଅ କୋଳକୁ ଫେରିବା ପରେ ପ୍ରତିକ୍ରିୟା ଦେଇ ମା' କହିଛନ୍ତି, ଖବର ପ୍ରକାଶ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ । ୩ ଦିନ ପରେ ଛୁଆକୁ ପାଇ ବହୁତ ଖୁସି । ମୋ ଛୁଆକୁ ପାଇବି ବୋଲି କେବେ ଆଶା ରଖିନଥିଲି । ମୋ ପୁଅ ମୋତେ ଦେଖୁ ଦେଖୁ କାନ୍ଦି ପକାଇଲା । ମୋ ଛୁଆକୁ ଯିଏ ଚୋରି କରିଥିଲା ତାଙ୍କୁ ଉଚିତ ଦଣ୍ଡ ମିଳୁ ।
ଗତ ୩ ଦିନ ତଳେ ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଜଣେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଦେଢ ବର୍ଷର ପୁଅକୁ ଦୁର୍ବୃତ୍ତ ଚୋରି କରିନେଇଥିଲେ । ଏହାପରେ ମହିଳା ଜଣକ ପୋଲିସରେ ଏତଲା ଦେଇଥିଲେ । ଏତଲା ଆଧାରରେ ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ଶେଷରେ ଆଜି ଭୁବନେଶ୍ବରରେ ଚୋରି ହୋଇଥିଲା ଶିଶୁପୁତ୍ର ବାଲେଶ୍ବରରୁ ଉଦ୍ଧାର ହୋଇଛି । ଖନ୍ତାପଡ଼ାରୁ ଶିଶୁକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ।
ତେବେ ଶିଶୁପୁତ୍ର ଉଦ୍ଧାର ହେବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା । ଆଉ ଏହି ସମୟରେ ସାଂଘାତିକ ସତ ସାମ୍ନାକୁ ଆସିଥିଲା । ସୁପାରି ଦେଇ ଶିଶୁକୁ ଅପହରଣ କରାଇଥିଲେ ଜଣେ ମହିଳା । ଏହା ପଛରେ ଥିଲା ବଡ ଷଡଯନ୍ତ୍ର । ନିଜ ଛୁଆ ଦେହରେ କିଡନୀ ଲଗାଇବା ପାଇଁ ଆଉ ଜଣେ ମାଆଙ୍କ କୋଳରୁ ଶିଶୁ ଚୋରି କରିଥିଲେ ମହିଳା । ନିଜ ପିଲାର କିଡନୀ ଖରାପ ଥିଲା, ତେଣୁ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ଶିଶୁ ଚୋରି ପାଇଁ ସୁପାରି ଦେଇଥିଲା ମହିଳା ଜଣକ ।