କନକ ବ୍ୟୁରୋ : ପୁରୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଚାଲିଛି ବାଲି ମାଫିଆଙ୍କ ରାଜ। ପ୍ରତିଦିନ ସରକାରୀ ଜମିରୁ ଟ୍ରାକ୍ଟର ଓ ଜେସିବି ଲଗାଇ ବାଲି ଓ ମାଟି ତାଡ଼ି ନେଉଛନ୍ତି। କାକଟପୁର ବ୍ଳକ ଅନ୍ତର୍ଗତ ତରତ ଗ୍ରାମ୍ୟ ଜଙ୍ଗଲରୁ ମାଫିଆମାନେ ଶହଶହ ଟ୍ରିପ ମାଟି ଖୋଳି ନେଉଛନ୍ତି। ସେ ସମୟରେ ଉପୁଡ଼ି ପଡୁଥିବା ଗଛକୁ ମଧ୍ୟ ନେଇ ଯାଉଛନ୍ତି । ବିକ୍ରି କରି ନିଜ ପକେଟ ଗରମ କରୁଥିବା ବେଳେ ଏହାର କୁପ୍ରଭାବ ପରିବେଶ ଓ ଜନବସତି ଉପରେ ପଡୁଛି । ବାଲି ଓ ମାଟି ଖନନ ପରେ ପୋଖରୀ ହୋଇଗଲାଣି। ଏସବୁ ଖୁଲମଖୁଲା ଚାଲିଥିଲେ ବି ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ।
କାକଟପୁର ଭଳି ଅସ୍ତରଙ୍ଗର ଦେବୀ ନଦୀ କୂଳ ବି ବାଲି ମାଫିଆଙ୍କ କବଜାରେ। ତାଳଦା ପଞ୍ଚାୟତର ଦେବୀ ନଦୀ ପଠାରୁ ଶହଶହ ଟ୍ରିପ ବାଲି ବୁହା ଚାଲିଛି। ପୂର୍ବରୁ ବାଲି ମାଟି ସୁରକ୍ଷା ଦାୟିତ୍ବ ତହସିଲଦାରଙ୍କ ଅଧିନରେ ଥିଲା। ପରେ ଏହି ଦାୟିତ୍ବ ଜିଲ୍ଲା ଖଣିଜ ବିଭାଗର ଜଣେ ଅଧିକାରୀଙ୍କୁ ଦିଆଯାଇଛି। ଜଣେ ଅଧିକାରୀ ସମଗ୍ର ଜିଲ୍ଲାର ଲଘୁଖଣିଜ ସମ୍ପଦ ଉପରେ ନଜର ରଖିବା ସମ୍ଭବ ହେଉନାହିଁ।
ଅନେକ ସମୟରେ ଯଦି କୌଣସି ବ୍ୟକ୍ତିଙ୍କୁ ନିଜ ଜମିରୁ ମାଟି ଉଠାଇବାକୁ ପଡେ ତେବେ ତହସିଲ ଅଫିସରେ ରୟାଲିଟ କାଟିବାର ନିୟମ ରହିଛି। ତେବେ ଦିନଦିପହରେ ସରକାରୀ ଜମିରୁ ବାଲି ମାଟ ଲୁଟ ହେଉଥିବା ବେଳେ ପ୍ରଶାସନ କେମିତି ଜାଣିପାରୁନି ବୋଲି ପ୍ରଶ୍ନ ଉଠିଛି।