କନକ ବ୍ୟୁରୋ: ଗାଁରେ କମିବ ମଦୁଆଙ୍କ ଉତ୍ପାତ । ମଦୁଆଙ୍କୁ ସାବାଡ଼ କରିବାକୁ ଆଗକୁ ଆସିବେ ମହିଳା । ସାଜିବେ ସରକାରଙ୍କ ସଚେତନତା ଅଭିଯାନର ସାରଥୀ । ସ୍କୁଲରୁ ହିଁ ନିଶା ମୁକ୍ତି ଅଭିଯାନର ପଡିବ ମୂଳଦୁଆ । ଏସବୁକୁ ନୂଆ ମଦନୀତିରେ ଆଣିବାକୁ ଯାଉଛନ୍ତି ମୋହନ ସରକାର । 

Advertisment

ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳରେ ନିଶା ରୋକିବାକୁ ମହିଳାଙ୍କୁ ମିଳିବ ଗୁରୁଦାୟିତ୍ବ । କିଛି ଏଭଳି ଢଙ୍ଗରେ ମାଷ୍ଟରଷ୍ଟ୍ରୋକ ମାରିବାକୁ ଯାଉଛନ୍ତି ମୋହନ ସରକାର । ନିଶାମୁକ୍ତ ଅଭିଯାନର ମଙ୍ଗ ଧରିବେ ମିଶନ ଶକ୍ତି ମହିଳା । ଘରକୁ ଘର ବୁଲିବେ, ସଚେତନ କରିବେ । ଅନ୍ୟପଟେ ସ୍କୁଲ ପରିସରରୁ ବେଆଇନ ମଦ ଦୋକାନ ହଟାଯିବ । ମଦ ଓ ଡ୍ରଗ୍ସ କାରବାର ବିରୋଧରେ ସ୍କୁଲ ଓ କଲେଜରେ କ୍ୟାମ୍ପେନ କରାଯିବ । 

ନିଶା ମୁକ୍ତ ଓଡ଼ିଶା ଆଡକୁ ପାଦେ 
ମେ ୩୧ରୁ ଜୁନ୍ ୨୬ ଯାଏ ଚାଲିବ ନିଶା ନିବାରଣ କାର୍ଯ୍ୟକ୍ରମ
ଦାସକାଠିଆ, ଘୋଡା ନାଚ, ଲୋକକଳା ମାଧ୍ୟମରେ କରାଯିବ ସଚେତନ
ସମସ୍ତଙ୍କ ମିଳିତ ଉଦ୍ୟମରେ ବର୍ଷକୁ ୩ ଥର ହେବ ନିଶା ନିବାରଣ ଅଭିଯାନ

ରଜ ପରେ ପରେ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର । ଆନ୍ଧ୍ର ମଡେଲରେ ନୂଆ ଅବକାରୀ ନୀତି ଆଣିବାକୁ ପ୍ରାୟତଃ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ସଚିବସ୍ତରୀୟ ଏକ ଟିମ୍ ଆନ୍ଧ୍ରପ୍ରଦେଶ ଯାଇ ସେଠାକାର ଅବକାରୀ ନୀତିକୁ ତଜର୍ମା କରିଛନ୍ତି । ୩ ବର୍ଷିଆ ଅବକାରୀ ନୀତିରେ ଓଡ଼ିଶାକୁ ବେଆଇନ ନିଶାମୁକ୍ତ କରିବାକୁ ଫୋକସରେ ରଖାଯାଇଛି । 

ନୂଆ ଅବକାରୀ ନୀତିରେ ନୂଆ କଣ? 
ଜାତୀୟ ରାଜପଥ କଡ଼ରୁ ହଟିପାରେ ମଦ ଦୋକାନ
ବେଆଇନ ମଦ କାରବାରରେ ଲାଗିବ ରୋକ
ମଦର ପ୍ରଚାର ପ୍ରସାର କମ କରାଯିବ 
ନୂଆ ମଦ ଦୋକାନକୁ ଅନୁମତି ମିଳିନପାରେ 

ବେଆଇନ ମଦ କାରବାର ପୂର୍ବଭଳି ଚାଲିଛି, ଜୀବନ ବି ଯାଇଛି । କିନ୍ତୁ ଅପବାଦରୁ ଅଳ୍ପକେ ବର୍ତ୍ତିଛନ୍ତି ମୋହନ ସରକାର । ପୂର୍ବରୁ ମଦମୁକ୍ତ ଓଡ଼ିଶା ଗଠନର ନାରା ଦେଇ ସରକାରକୁ ଆସିଛି ବିଜେପି । ତେଣୁ କେବଳ ବେଆଇନ ମଦ କବଳରୁ ମୁକ୍ତି ନୁହେଁ ବରଂ  ପୂରା ମଦ ମୁକ୍ତ ଓଡ଼ିଶା ଗଠନ ଦିଗରେ ମୋହନ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।