କନକ ବ୍ୟୁରୋ : କିଏ କାର୍ଯ୍ୟରେ ଯୋଗ ଦେଉନି, କିଏ ଯୋଗ ଦେଇ ଛୁଟିରେ ପଳାଇଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଉପକୂଳରୁ ଉପାନ୍ତ ସବୁଠି ସମାନ ଚିତ୍ର । ୨୧୧ରୁ ଅଧିକ ଡାକ୍ତର ରାଜ୍ୟରେ ଖୋଜିଲେ ମିଳୁନାହାନ୍ତି । ଯେଉଁମାନଙ୍କୁ ବର୍ଷ ବର୍ଷ ଧରି ଖୋଜି ଚାଲିଛି ସ୍ବାସ୍ଥ୍ୟବିଭାଗ । ଏ ତାଲିକାରେ ଅଛନ୍ତି ମେଡିକାଲ୍ ଅଫିସର, ଆସିଷ୍ଟାଣ୍ଟ ସର୍ଜନ, ସିନିଅର ରେସିଡେଣ୍ଟ ଭଳି ବଡ଼ ବଡ଼ ଡାକ୍ତର । କାରଣ ଦର୍ଶାଅ ନୋଟିସ୍ଠାରୁ ନେଇ ଗଣମାଧ୍ୟମରେ ବିଜ୍ଞାପନ ଯାଏଁ; ସବୁ ଫର୍ମୁଲା ଲଗାଇ ସାରିଲେଣି ସରକାର । କିନ୍ତୁ ନିଖୋଜ ଡାକ୍ତରଙ୍କ ପତ୍ତା ମିଳୁନି । ତେବେ ନିଯୁକ୍ତି ପରେ ଘରୋଇ ହସ୍ପିଟାଲ ଭଳି ସୁବିଧା ସୁଯୋଗ ଦିଆଯାଉନଥିବାରୁ ସେମାନେ ଯୋଗ ଦେଇନଥିବା କହିଛନ୍ତି ଓମସାର ସାଧାରଣ ସମ୍ପାଦକ।
ଅନ୍ୟପଟେ ନିଖୋଜ ଡାକ୍ତରଙ୍କୁ ଖୋଜି ଚାଲିଛି ସ୍ବାସ୍ଥ୍ୟବିଭାଗ । ବାରମ୍ବାର ଚିଠି, ନୋଟିସ୍, ବିଜ୍ଞାପନ ଦିଆଚାଲିଛି । ୧୯୯୨ ମସିହାରୁ କାର୍ଯ୍ୟରେ ଯୋଗ ଦେଉନଥିବା ଡାକ୍ତରଙ୍କୁ ବି ୩୦ ବର୍ଷ ହେଲା ନୋଟିସ୍ ଦେଇ ଚାଲିଛି ବିଭାଗ । କଟକ, ଭୁବନେଶ୍ବରରେ ପୋଷ୍ଟିଂ ପାଇ ଚାକିରି କରୁନଥିବା ଡାକ୍ତରଙ୍କ ତାଲିକା ବି ଅଛି । ବର୍ଷ ବର୍ଷ ଧରି ଆସୁନଥିବା ଡାକ୍ତରଙ୍କୁ କେତେବେଳେ ୧୫ ଦିନ ତ କେତେବେଳେ ୨୧ ଦିନର ମହଲତ ଦିଆଯାଉଛି । ସେପଟୁ ଉତ୍ତର ଆସୁନି, ତଥାପି ବିଜ୍ଞାପନ ଦେଇ କାନ୍ଧରୁ ଦୋଷ ଖସାଉଛନ୍ତି ସରକାର । କିନ୍ତୁ ନିଖୋଜ ଥିବା ଡାକ୍ତରଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର । ଅନ୍ୟପଟେ ଯାଗା ମାଡ଼ି ବସିଥିବାରୁ ସେହି ସ୍ଥାନରେ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନି । ତେବେ ସ୍ବାସ୍ଥ୍ୟସଚିବ କହିଛନ୍ତି, ନିଖୋଜ ଡାକ୍ତରଙ୍କ ଉପରେ ସରକାର ନେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।
ରାଜ୍ୟରେ ରୋଗୀସେବା ବିପର୍ୟ୍ୟସ୍ତ। ଗାଁଗଣ୍ଡାରେ ବହୁସଂଖ୍ୟାରେ ଡାକ୍ତର ପଦ ଖାଲି। ତେଣୁ ପ୍ରଶ୍ନ ଉଠୁଛି, ସରକାର କାହିଁକି ନିଖୋଜ ଡାକ୍ତରଙ୍କ ବିରୋଧରେ ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ ? ନିଖୋଜ ଡାକ୍ତରଙ୍କ ବଦଳରେ ନୂଆ ନିଯୁକ୍ତି ଦେବାକୁ କାହିଁକି ସରକାର ଚାହୁଁ ନାହାନ୍ତି ? ନିଖୋଜ ଡାକ୍ତରଙ୍କୁ କାହିଁକି ଅନୁକମ୍ପା ଦେଖାଉଛନ୍ତି ସରକାର ?